କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପରେ ହେବାକୁ ଯାଉଛି ଜାମ୍ମୁ କାଶ୍ମୀର ନିର୍ବାଚନ। ଇଲେକ୍ସନକୁ ଆଉ ପ୍ରାୟ ତିନି ସପ୍ତାହ ବାକି ରହିଥିବା ବେଳେ ବିଜେପି, କଂଗ୍ରେସ ସମେତ ପ୍ରମୁଖ ଆଞ୍ଚଳିକ ଦଳ ରଣନୀତି ପ୍ରସ୍ତୁତ କରିଦେଇଛନ୍ତି। କଂଗ୍ରେସ ଏବଂ ନ୍ୟାସନାଲ କନଫେରେନ୍ସ ମେଣ୍ଟ ଏକାଠି ଲଢିବାକୁ ନିଷ୍ପତି ନେଇଛନ୍ତି। ଏହାରି ଭିତରେ ବିଜେପି ଆଜି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପୁଣି ପରିବର୍ତ୍ତନ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରର ଶାସନ ଭାର କାହା ହାତକୁ ଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସବୁ ଦଳ ଜୋରଦାର ପ୍ରସ୍ତୁତି ଚଳାଇଥିବା ବେଳେ ବ୍ୟାକଫୁଟରେ ପଡିଯାଇଛି ବିଜେପି। ଆଜି ବିଜେପି ଜାମ୍ମୁ କାଶ୍ମୀର ପାଇଁ ପ୍ରାର୍ଥୀ ଘୋଷଣା ପରେ ପୁଣି ପ୍ରତ୍ୟାହାର କରିଛି। 

ପ୍ରଥମେ ମୋଟ ୪୪  ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି।
କିଛି ସମୟ ମଧ୍ୟରେ ଏହାକୁ ପ୍ରତ୍ୟାହାର କରି ନୂ୍ଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା
ନୂଆ ପ୍ରାର୍ଥୀ ତାଲିକାରେ ୪୪ ପରିବେର୍ତ୍ତ ମାତ୍ର ୧୫ ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା
ବାକି ୨୯ ପ୍ରାର୍ଥୀଙ୍କ ତାଲିକା ଘୋଷଣା ନକରିବାକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଜେପି ପ୍ରଥମେ ତିନିଟି ପର୍ୟ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ହେଲେ ନୂଆ ତାଲିକାରେ କେବଳ ପ୍ରଥମ ପର୍ୟ୍ୟାୟ ପାଇଁ ୧୫ ଜଣିଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ନେଇ ପ୍ରଶ୍ନ ଉଠିଛି। ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ଏହି ତାଲିକାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ପାର୍ଟି ଅଫିସରେ ହୋହାଲ୍ଲା କରିଛନ୍ତି। 

୯୦ ଆସନ ବିଶ୍ଚିଷ୍ଟ ଜାମ୍ମୁ କାଶ୍ମୀର ନିର୍ବାଚନରେ ନ୍ୟାସନାଲ କନଫେରେନ୍ସ(ଏନସି) ଓ କଂଗ୍ରେସ ଏକାଠି ଲଢିବାକୁ ନିଷ୍ପତି ନେଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଆସନ ବୁଝାବଣା ହୋଇପାରିନାହିଁ। ଏନସସି ସଭାପତି ଫାରୁକ ଅବଦୁଲ୍ଲା, ଉପ-ସଭାପତି ଉମର ଅବଦୁଲ୍ଲା, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ ଭାଗବଣ୍ଟା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛି। ବିଜେପି ବିରୋଧୀ ମେହେବୁବା ମୁଫତିଙ୍କ ପିଡିପି ସହ ଏନସି-କଂଗ୍ରେସ ମେଣ୍ଟ କିଛି ଆସନରେ ଭିତିରିଆ ସମର୍ଥନ ପାଇଁ କଥାବାର୍ତ୍ତା ହୋଇଥିବା କୁହାଯାଉଛି। କିନ୍ତୁ କଂଗ୍ରେସରୁ ଅଲଗା ହୋଇ ନୂଆ ଦଳ ଗଢିଥିବା ଗୁଲାବ ନବୀ ଆଜାଦଙ୍କ ଦଳ ଡିପିଏପି, କଂଗ୍ରେସ- ଏନସି ମେଣ୍ଟ ପାଇଁ କଣ୍ଟା ସାଜିପାରେ। ରବିବାର ଆଜାଦଙ୍କ ଦଳ ଡିପିଏପି ୧୩ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବା ବେଳେ ପିଡିପି ମାତ୍ର ୩ ଟି ପ୍ରାର୍ଥୀ ଘୋଷଣା କରିଛି।

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୩ଟି ପର୍ୟ୍ୟାୟରେ ମତଦାନ କରିବେ ଭୋଟର୍। ଅକ୍ଟୋବର ୪ ତାରିଖରେ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ କାଶ୍ମୀରର ମଙ୍ଗ କାହା ହାତକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।