ବଲିଉଡର କ୍ୱିନ୍ କୁହାଯାଉଥିବା ଅଭିନେତ୍ରୀ ତଥା ମଣ୍ଡିର ନବନିର୍ବାଚିତ ସାଂସଦ କଙ୍ଗନା ରଣାୱତଙ୍କ ପିଛା ଛାଡୁନି ବିବାଦ । ନିଜ ଅପକମିଙ୍ଗ୍ ସିନେମା ‘ଏମରଜେନ୍ସି’ ପାଇଁ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଖୁବଶୀଘ୍ର ପରଦାକୁ ଆସୁଥିବା ଏହି ଫିଲ୍ମ ରିଲିଜ୍ ପୂର୍ବରୁ ବିବାଦ ଘେରକୁ ଆସିଛି । ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ଏମରଜେନ୍ସିକୁ ନେଇ ସିନେମାର କାହାଣୀ ଗତିଶୀଳ ହେଉଥିବା ବେଳେ ଏହାର ଟ୍ରେଲର୍ ଆଉଟ୍ ହେବା ପରେ ବିବାଦ ଦେଖାଦେଇଛି । କଙ୍ଗନାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳୁଥିବା ବେଳେ ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ କଙ୍ଗନାଙ୍କ ମୁଣ୍ଡ କାଟି ଦେବା କଥା କୁହାଯାଉଛି । 

kangana
ସୋସିଆଲ୍ ମିଡ଼ିଆ ଏକ୍ସରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ କିଛି ଲୋକ କଙ୍ଗନାଙ୍କୁ ଚପଲମାଳରେ ସ୍ୱାଗତ କରି ମୁଣ୍ଡକାଟ କରିବା କଥା କହୁଛନ୍ତି । ଭିଡିଓକୁ କଙ୍ଗନା ଏକ୍ସରେ ସେୟାର୍ କରିବା ସହ ପଞ୍ଜାବ ପୁଲିସକୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ଭିଡ଼ିଓରେ ଥିବା ବ୍ୟକ୍ତି କହୁଛନ୍ତି , ‘ଯଦି ଏମରଜେନ୍ସି ସିନେମା ରିଲିଜ୍ କରିବେ ସର୍ଦ୍ଧାରମାନେ ଆପଣଙ୍କୁ ଚପଲ ମାରିବେ । ଚାପୁଡା ତ ଆପଣ ଆଗରୁ ଖାଇସାରିଛନ୍ତି । ମହାରାଷ୍ଟ୍ରରେ ଯଦି କେଉଁଠି ଆପଣଙ୍କୁ ଦେଖିବୁ ହିନ୍ଦୁ , ମୁସଲିମ୍ , ଖ୍ରୀଷ୍ଟିଆନ୍ ସବୁ ଭାଇ ମିଶି ଆପଣଙ୍କୁ ଚପଲରେ ସ୍ୱାଗତ କରିବୁ ।’ ଭିଡ଼ିଓର ଶେଷରେ ଆଉ ଜଣେ ବ୍ୟକ୍ତି ସତୱନ୍ତ ସିଂ ଏବଂ ବେଅନ୍ତ ସିଂଙ୍କୁ ମନେପକାଇ ଚେତାବନୀ ସ୍ୱରରେ କୁହନ୍ତି , ‘ଭୁଲିଯାଆନ୍ତୁ ନାହିଁ ସତୱନ୍ତ ସିଂ ଏବଂ ବେଅନ୍ତ ସିଂ କିଏ ଥିଲେ । ଆମେ ଭଲରେ ଜାଣିଛୁ ଆମ ଉପରକୁ ଉଠୁଥିବା ଅଙ୍ଗୁଳିକୁ କେମିତି ଭାଙ୍ଗିବୁ । ସେଭଳି ସନ୍ଥଙ୍କ ପାଇଁ ଦରକାର ପଡ଼ିଲେ ଆମେ ଜୀବନ ଦେଇପାରିବୁ , ଦରକାର ପଡ଼ିଲେ କାହାର ମୁଣ୍ଡ କାଟି ବି କରିପାରିବୁ ।

କଙ୍ଗନାଙ୍କୁ ମୁଣ୍ଡକାଟର ଧମକ

#କଙ୍ଗନାଙ୍କୁ_ମୁଣ୍ଡକାଟର_ଧମକ #ଚପଲ_ମାରିବୁ_ମୁଣ୍ଡ_କାଟିବୁ ବଲିଉଡର କ୍ୱିନ୍ କଙ୍ଗନାଙ୍କୁ ମିଳିଲା ମୁଣ୍ଡ କାଟର ଧମକ । ଚପଲରେ ସ୍ୱାଗତ କରିବୁ , ମୁଣ୍ଡ କାଟିବୁ .. ସିନେମା ପାଇଁ ଅଭିନେତ୍ରୀଙ୍କୁ ମିଳିଲା ଚେତାବନୀ #SpecialReport #KanganaRanaut #KanakNews

Posted by Kanak News on Tuesday, August 27, 2024

ତେବେ କଙ୍ଗନା ରଣାୱତଙ୍କ ଅଭିନୀତ ବହୁପ୍ରତୀକ୍ଷିତ ‘ଏମରଜେନ୍ସି’ ସିନେମା ଡିସେମ୍ବର ୬ ତାରିଖରେ ପରଦାକୁ ଆସୁଛି । ସିନେମାରେ କଙ୍ଗନାଙ୍କ ସହ ଅଭିନେତା ଅନୁପମ୍ ଖେର୍ , ମହିମା ଚୌଧୁରୀ , ମିଲିନ୍ଦ୍ ସୋମନ୍ , ଶ୍ରେୟସ୍ ତଲପଡେ , ବିଶାକ ନାୟର୍ ଏବଂ ଦିବଙ୍ଗତ ଅଭିନେତା ସତିଶ୍ କୌଶିକ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।