କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳାରେ ଗଡ଼ବଡ଼ । ମୁଣ୍ଡରୁ ରକ୍ତ ଝରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବିଜେପି ସାଂସଦ ଖଗେନ ମୁର୍ମୁ । ଉତ୍ତର ମାଲଦା ଆସନରୁ ଦୁଇ ଥର ସେ ନିର୍ବାଚିତ ହୋଇଛନ୍ତି । ସୋମବାର ଉତ୍ତର ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ପ୍ରଳୟଙ୍କରୀ ଭୂସ୍ଖଳନ ପରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଯାଇଥିଲେ । ରାସ୍ତାରେ ତାଙ୍କ ଗାଡ଼ି ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଖଗେନ ମୁର୍ମୁଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ବିଜେପି ବିଧାୟକ ଶଙ୍କର ଘୋଷ ଆହତ ହୋଇଛନ୍ତି । ଏହି ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ଗସ୍ତ ପୂର୍ବରୁ ବିଜେପି ପ୍ରତିନିଧି ଦଳ ଯାଇଥିବାରୁ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରିଛି ବିଜେପି ।
ବିଜେପି ସାଂସଦଙ୍କ ଉପରକୁ ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜେପି ଆଇଟି ବିଭାଗର ପ୍ରଭାରୀ ଅମିତ ମାଲବ୍ୟ କହିଛନ୍ତି, ଏହା ପଶ୍ଚିମବଙ୍ଗରେ ଟିଏମସିର ଜଙ୍ଗଲ ରାଜ୍ ! ରିଲିଫ୍ ଦେବାକୁ ଯାଉଥିବା ଲୋଙ୍କୁ ଆକ୍ରମଣ କରାଯାଉଛି । ଘଟଣାକୁ ନେଇ ଟିଏମସି ଏବଂ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିବା ସହ ଏହା ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛି ବିଜେପି । ବିଜେପି ନେତା ରାହୁଲ ସିହ୍ନା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।
କେବଳ ଖଗେନ ମୁର୍ମୁ ନୁହନ୍ତି, ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତାଙ୍କୁ ପଶ୍ଚିମବଙ୍ଗରେ ଆକ୍ରମଣ କରାଯାଇଛି । କିନ୍ତୁ କଡ଼ା କାର୍ଯ୍ୟାନୁଷ୍ଠାନ ଅଭାବରୁ ବାରମ୍ବାର ଏଭଳି ଘଟଣା ଘଟୁଛି ।