କନକ ବ୍ୟୁରୋ : କୋଲକାତା ବନ୍ଦ ପାଳନ ବେଳେ ବିଜେପି ନେତାଙ୍କ ଗାଡ଼ି ଉପରକୁ ଅତର୍କିତ ଗୁଳିମାଡ଼ । ପଶ୍ଚିମବଙ୍ଗ ଭାଟପଡ଼ାର ବିଜେପି ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ ଗାଡ଼ି ଉପରକୁ ୬ ରାଉଣ୍ଡ ଗୁଳିମାଡ଼ କରାଯାଇଛି । ଏହି ଘଟଣାରେ ପ୍ରିୟାଙ୍ଗୁ ପାଣ୍ଡେଙ୍କ ସମେତ ଗାଡ଼ି ଡ୍ରାଇଭର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ବିରୋଧି ଦଳ ନେତା ସୁଭେନ୍ଦୁ ଅଧିକାରୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗୁଳିମାଡ଼ର ଭିଡିଓ ପୋଷ୍ଟ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି । ଟିଏମସି ପକ୍ଷରୁ ଏହି ଗୁଳିମାଡ଼ କରାଯାଥିବା ଅଭିଯୋଗ ହୋଇଛି ।

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଳୁଛି ପଶ୍ଚିମବଙ୍ଗ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ସହ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ ରଖିଛନ୍ତି । ବିଭିନ୍ନ ସ୍ଥାନରେ ହିଂସର ପ୍ରଭାବ ଦେଖିବାକୁ ମିଳିଛି । ଯାତାୟାତ ଠପ ହୋଇଯାଇଛି । ବିକ୍ଷୋଭ ବେଳେ ବିଜେପି ନେତାଙ୍କୁ ଉଠାଇ ନେଇଛି ପୋଲିସ ।

ଡାକ୍ତରଙ୍କୁ ଦୁସ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କିନ୍ତୁ ମମତା ଏହା ଉପରେ ପ୍ରତିକ୍ରିୟା କହିଛନ୍ତି, ସେ ବନ୍ଦକୁ ସମର୍ଥନ କରୁନାହାଁନ୍ତି । ବିଜେପି କେବେ ମଣିପୁର, ଉତରପ୍ରଦେଶ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିନାହିଁ ।

ଗତକାଲି ବିଜେପିର ବିଧାନସଭା ମାର୍ଚ୍ଚ ସମୟରେ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୁଲିସ ଲାଠିମାଡ଼ ଏବଂ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଯାହାକୁ ନେଇ ପୁଲିସର କାର୍ୟ୍ୟକୁ ପ୍ରସଂଶା କରିଛନ୍ତି ମମତା । ଆମେ ଦୋଷୀକୁ ଦଣ୍ଡ ଦେବାକୁ ଚାହୁଁଛୁ । କିନ୍ତୁ ବିଜେପି ବେଙ୍ଗଲକୁ ବଦନାମ କରିବାକୁ ଚାହୁଁଛି । ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି । ଏଥିସହ ଦୁଷ୍କର୍ମକାରୀଙ୍କ ବିରୋଧରେ କଡାଦଣ୍ଡ ବିଧାନ ନେଇ ୧୦ ଦିନରେ ନୂଆ ବିଲ ପାସ କରିବାକୁ କହିଛନ୍ତି ମମତା ।