କନକ ବ୍ୟୁରୋ : ପୁଣି ବିବାଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କୁ ଆମେରିକାଗସ୍ତ ଭିତରେ ଏବେ ଆମେରିକାର ବିବାଦୀୟ ସାଂସଦ ଇଲହାନ ଓମାରଙ୍କୁ ଭେଟିବା ଏବେ ନୂଆ ବିବାଦ ସୃଷ୍ଟି କରିଛି । ଗସ୍ତର ତୃତୀୟ ଦିନରେ ଇଲହାନ ଓମାରଙ୍କୁ ରାହୁଲ ଭେଟିଛନ୍ତି ଯିଏକି ସବୁବେଳେ ଭାରତ ବିରୋଧରେ ବିଷ ଉଗାଳିଥାନ୍ତି । ତେବେ ଘଟଣାକୁ ହଜମ କରିପାରିନି ବିଜେପି । ରାହୁଲଙ୍କୁ ଭାରତ ବିରୋଧୀ ବନ୍ଧୁ କହି ଦଳ ସମାଲୋଚନା କରିବା ସହ ପ୍ରଶ୍ନ ଉଠାଇଛି । ଏଥିସହ ବିଜେପି କହିଛି ରାହୁଲ ଯେବେ ବିଦେଶ ଯାଆନ୍ତି ଭାରତ ବିରୋଧୀ ବୟାନ ଦିଅନ୍ତି ଓ ଭାରତର ଶତ୍ରୁଙ୍କୁ ଭେଟିଥାନ୍ତି । ଦେଶର ସମ୍ମାନକୁ ଆଘାତ ଦିଅନ୍ତି । ଇଲହାନା ଜଣେ ଭାରତ ବିରୋଧ ଓ ତାଙ୍କ ସହ ରାହୁଲ ଭେଟିବା ନିନ୍ଦନୀୟ ଘଟଣା କହିଛି ବିଜେପି । ବିଜେପିର ଅଭିଯୋଗ ଉପରେ କଂଗ୍ରେସର ବରିଷ୍ଠ ନେତା ପୱନଖେରା ଜବାବ ରଖିଛନ୍ତି । ଓମାର ହେଉଛନ୍ତି ସୋମାଲି ଆମେରୀକୀୟ, କାନାଡା ନାଗରିକ ଓ ଖଲିସ୍ତାନୀ ସମର୍ଥକ।
ଆମେରିକାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଭାଜପାର ଆକ୍ରମଣ ଜାରି ରହିଛି । ଦଳର ବହୁ ବଡ ନେତା ରାହୁଲଙ୍କ ବୟାନକୁ ସମାଲୋଚନା କରିଛନ୍ତି । ବର୍ତ୍ତମାନ ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାହୁଲଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି , ରାଷ୍ଟ୍ର ବିରୋଧୀ କଥାବାର୍ତ୍ତା କରିବା ଏବଂ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତି ସହିତ ଛିଡ଼ା ହେବା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପାର୍ଟି ପାଇଁ ଏକ ଅଭ୍ୟାସ ହୋଇଗଲାଣି । ସଂରକ୍ଷଣ ବିରୋଧୀ ଏଜେଣ୍ଡାକୁ ସମର୍ଥନ କରନ୍ତୁ କିମ୍ବା ବିଦେଶୀ ଫୋରମରେ ଭାରତ ବିରୋଧୀ କଥା ହେଉ, ରାହୁଲ ଗାନ୍ଧୀ ଦେଶର ସୁରକ୍ଷା ତଥା ଭାବନାକୁ ସର୍ବଦା କ୍ଷତି ପହଞ୍ଚାଉଛନ୍ତି ।
ଶାହା ଆହୁରି ଲେଖିଛନ୍ତି, ଭାଷା ଠାରୁ ଭାଷା, ଅଞ୍ଚଳରୁ ଅଞ୍ଚଳ ଏବଂ ଧର୍ମରୁ ଧର୍ମକୁ ଭେଦଭାବ ବିଷୟରେ କହିବା ରାହୁଲ ଗାନ୍ଧୀଙ୍କ ବିଭେଦକାରୀ ଚିନ୍ତାଧାରାକୁ ଦର୍ଶାଉଛି । ଦେଶରୁ ସଂରକ୍ଷଣ ସମାପ୍ତି ବିଷୟରେ କଥାବାର୍ତ୍ତା କରି ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସର ସଂରକ୍ଷଣ ବିରୋଧୀ ଚେହେରାକୁ ଦେଶ ସାମ୍ନାକୁ ଆଣିଛନ୍ତି । ମନରେ ଥିବା ଚିନ୍ତାଧାରା କିଛି ନା କିଛି ଅନ୍ୟ ଉପାୟ ମାଧ୍ୟମରେ ବାହାରିଥାଏ ।
ସେପଟେ ରାହୁଲ ଗାନ୍ଧୀଙ୍କ ବିରୋଧରେ ତେଜୁଛି ପ୍ରତିବାଦ । ଶିଖ ସମ୍ପ୍ରଦାୟଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ଶିଖ ସଂଗଠନ । ଦିଲ୍ଲୀରେ ପ୍ଲାକାର୍ଡ ଧରି ବିରୋଧୀ ଦଳ ନେତାଙ୍କ ବିରୋଧରେ ନାରା ନେଇ ପ୍ରତିବାଦ କରିଛନ୍ତି । ମଙ୍ଗଳବାର ପ୍ରବାସୀ ଭାରତୀୟଙ୍କୁ ଭେଟି ରାହୁଲ କହିଥିଲେ ଯେ ଜଣେ ଶିଖକୁ ଭାରତରେ ପଗଡି ପିନ୍ଧିବାକୁ ଅନୁମତି ମିଳିବ କି ନାହିଁ ? ଜଣେ ଶିଖକୁ ଭାରତରରେ କଡା ପିନ୍ଧିବାକୁ ଅନୁମତି ମିଳିବ କି ନାହିଁ ? ଜଣେ ଶିଖ ହିସାବରେ ଗୁରୁଦ୍ୱାରା ଯାଇ ପାରିବ କି ନାହିଁ? ବର୍ତ୍ତମାନ ସେହି ଲଢେଇ ଚାଲିଛି । ଏହି ଲଢେଇ କେବଳ ଶିଖମାନଙ୍କ ପାଇଁ ନୁହେଁ, ସବୁ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଘଟୁଛି । ରାହୁଲଙ୍କ ବୟାନକୁ ପ୍ରବଳ ବିରୋଧ କରିଛି ଶିଖ ସଂଗଠନ ।