କନକ ବ୍ୟୁରୋ : ବିହାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ଓ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିହାର ଅଧିକାର ଯାତ୍ରା ପରେ ଏବେ ଏଆଇଏମଆଇଏମ୍ ନେତା ଅସଦୁଦ୍ଦିନ ଓୱେସିଙ୍କ ସୀମାଞ୍ଚଳ ନ୍ୟାୟ ଯାତ୍ରା । ଆସନ୍ତା ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ୍ ଭଲ ପ୍ରଦର୍ଶନ କରିବ ବୋଲି ଦାବି କରିଛି ।
ବିହାରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ସରଗରମ ହୋଇଉଠିଛି । ଭୋଟରଙ୍କୁ ମନାଇବା ପାଇଁ ସବୁ ଦଳ ଓ ମେଣ୍ଟ ପ୍ରାଣମୂର୍ଚ୍ଛା ଲାଗିପଡ଼ିଛନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏ ଓ ସହଯୋଗୀ ଜେଡିୟୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ସେପଟେ ଇଣ୍ଡିମେଣ୍ଟ ନେତା ରାହୁଲ ଗାନ୍ଧୀ ନିକଟରେ ଭୋଟର ଅଧିକାର ଯାତ୍ରା କରିଥିଲେ । ଏହାର ସହଯୋଗୀ ଦଳ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିହାର ଅଧିକାର ଯାତ୍ରା ନିକଟରେ ଶେଷ ହୋଇଛି । ଏବେ ଏହି ଯାତ୍ରା ଧାରାରେ ସାମିଲ ହେବାକୁ ଯାଉଛି । ଅଲ୍ ଇଣ୍ଡିଆ ମଜଲିସ-ଏ- ଇତେହଦୁଲ ମୁସଲିମ୍- ଏଆଇଏମଆଇଏମ୍ ପାର୍ଟି ।
ଏଆଇଏମଆଇଏମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସିଙ୍କ ନେତୃତ୍ୱରେ ଦଳ ସେପ୍ଟେମ୍ୱର ୨୪ରୁ ସୀମାଞ୍ଚଳ ନ୍ୟାୟ ଯାତ୍ରା ଆରମ୍ଭ କରୁଛି । ଏହି ଯାତ୍ରା ବିହାର କିଶନଗଞ୍ଜରୁ ଆରମ୍ଭ ହୋଇ ସୀମାଞ୍ଚଳ କ୍ଷେତ୍ରର କଟିହାର, ପୂର୍ଣ୍ଣିଆ ଏବଂ ଅରରିଆ ଜିଲ୍ଲା ଅନ୍ତର୍ଗତ ୨୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅତିକ୍ରମ କରିବ । ସୀମାଞ୍ଚଳ ନ୍ୟାୟ ଯାତ୍ରାରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସି ଓ ଦଳର ଅନ୍ୟ ନେତୃବୃନ୍ଦ ସାମିଲ ହେବେ । ବିଭିନ୍ନ ସ୍ଥାନରେ ଜନ ସମାବେଶ ଆୟୋଜନ କରାଯିବ । ବିହାରରେ ୨୦୨୦ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ୍ ୫ଟି ଆସନ ପାଇଥିଲା । ପରେ ୪ ବିଧାୟକ ଆରଜେଡିରେ ସାମିଲ ହୋଇଯାଇଥିଲେ । ଏଥର ଆହୁରି ଭଲ କରିବ ଏଆଇଏମଆଇଏମ୍ ଦୃଢ଼ୋକ୍ତି ପ୍ରକାଶ କରିଛି ।
ବିହାରରେ ପ୍ରଥମରୁ ମହାଗଠବନ୍ଧନରେ ରହିବା ପାଇଁ ଏଆଇଏମଆଇଏମ୍ ଆଗ୍ରହ ପ୍ରକାଶ କରିଥିଲା । କିନ୍ତୁ ବିଫଳ ହେବା ପରେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଏନଡିଏ କି ଇଣ୍ଡିମେଣ୍ଟ ସୀମାଞ୍ଚଳ କ୍ଷେତ୍ରର ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରି ଦଳ ସଂଗ୍ରାମ ଜାରି ରଖିଛି । ଆସନ୍ତା ନିର୍ବାଚନରେ ଲୋକଙ୍କ ଭରସାରେ ଭଲ କରିବ ବୋଲି ଏଆଇଏମଆଇଏମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସି ଦୃଢ଼ ଆଶା ରଖିଛନ୍ତି ।