କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ତାରିଖ ଘୋଷଣା ସମ୍ଭାବନା ଅଛି । ନଭେମ୍ବର ୨୨ରେ ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ । ତା’ପୂର୍ବରୁ ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ତିନି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ ।
ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତି
ଖୁବଶୀଘ୍ର ହେବ ତାରିଖ ଘୋଷଣା
ତିନି ପର୍ଯ୍ୟାୟରେ ହୋଇପାରେ ଭୋଟ୍
ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପରେ ସେପ୍ଟେମ୍ୱର ୩୦ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଆସନ୍ତା ସପ୍ତାହରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ବିହାର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ବିହାର ବିଧାନସଭା ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଯିବ । ଅକ୍ଟୋବର ୨ ଓ ୧୯ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ସମ୍ଭାବନା ଅଛି । ଅକ୍ଟୋବର ୨୮ରେ ଛଟ୍ ପୂଜା ପରେ ନଭେମ୍ବର ମାସରେ ନିର୍ବାଚନ ହୋଇପାରେ । ନଭେମ୍ୱର ୫ରୁ ୧୫ ମଧ୍ୟରେ ତିନି ପର୍ଯ୍ୟାୟରେ ଭୋଟଗ୍ରହଣ ସମ୍ଭାବନା ଅଛି । ଏଥିପାଇଁ ଉଭୟ ଏନଡିଏ ଏବଂ ଇଣ୍ଡିମେଣ୍ଟ ପ୍ରସ୍ତୁତ ଅଛନ୍ତି ।
ବିହାରରେ ମୁଖ୍ୟତଃ ଏନଡିଏ ଏବଂ ଇଣ୍ଡିମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହେବ । ଉଭୟ ମେଣ୍ଟ ଜୋରଦାର ପ୍ରଚାର ଚଳାଇଛନ୍ତି । ଏହାଛଡ଼ା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ମଇଦାନକୁ ଓହ୍ଲାଇଲେ ନୂଆ ସମୀକରଣ ସୃଷ୍ଟି ହୋଇପାରେ । ସେପଟେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ନେଇ ଇଣ୍ଡିମେଣ୍ଟ ଓ ନିର୍ବାଚନ କମିସନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗିରହିଛି । ତେବେ ଚୂଡ଼ାନ୍ତ ଭୋଟର ତାଲିକାରେ ତ୍ରୁଟି ଦେଖିଲେ ସମଗ୍ର ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଚରମବାଣୀ ଶୁଣାଇଛନ୍ତି । ଏପରି ହେଲେ ନିର୍ବାଚନରେ କିଛି ବିଳମ୍ବ ହୋଇପାରେ । କିନ୍ତୁ ନଭେମ୍ୱର ୨୨ରେ ଚଳିତ ବିଧାନସଭାର କାର୍ଯ୍ୟକାଳ ସରିବା ପୂର୍ବରୁ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/22/21-2025-09-22-21-48-36.jpg)