କନକ ବ୍ୟୁରୋ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଜଣେ ବାଂଲାଦେଶ ପ୍ରଶଂସକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏହା ପରେ ତାଙ୍କୁ ଡାକ୍ତରଖାନା ନେବାକୁ ପଡିଥିଲା ।

Advertisment

‘ରବି ଟାଇଗର’ ନାମରେ ଜଣାଶୁଣା ଏହି ବ୍ୟକ୍ତି ବାଂଲାଦେଶ କ୍ରିକେଟ୍ ଦଳର ଜଣେ ବଡ ପ୍ରଶଂସକ । ସେ ନିଜ ଦଳକୁ ସମର୍ଥନ କରିବା ପାଇଁ ପ୍ରତ୍ୟେକ ମ୍ୟାଚରେ ସେ ପହଞ୍ଚି ଯାଆନ୍ତି । ରିପୋର୍ଟ ଅନୁଯାୟୀ, କାନପୁରରେ ସେ ବାଂଲାଦେଶୀ ଟିମର ପତାକା ଉଡାଇବା ସହ ତାଙ୍କ ଦଳକୁ ସମର୍ଥନ କରିବା ପାଇଁ ସ୍ଲୋଗାନ ଦେଉଥିଲେ । ଏହାପରେ କିଛି ସ୍ଥାନୀୟ ପ୍ରଶଂସକଙ୍କ ସହ ତାଙ୍କୁ ସଂଘର୍ଷ କରିବାକୁ ପଡିଥିଲା । ଏହି ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ସେ ଚେତାଶୂନ୍ୟ ହୋଇଯାଇଥିଲେ ।

ସୁରକ୍ଷାକର୍ମୀମାନେ ତୁରନ୍ତ ଏ ବିଷୟରେ ଜାଣି ତାଙ୍କୁ ଡାକ୍ତରଖାନା ନେଇଥିଲେ । ରିପୋର୍ଟ ଅନୁସାରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ବାଂଲାଦେଶୀ ପ୍ରଶଂସକ ଏବଂ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ବାଂଲାଦେଶର ଏହି ପ୍ରଶଂସକ ଗ୍ରୀନ୍ ପାର୍କ ଷ୍ଟାଡିୟମର ବାଲକୋନିରେ ବସିଥିଲେ ଏବଂ ତାଙ୍କ ଦଳକୁ ସମର୍ଥନ କରି ସ୍ଲୋଗାନ ମଧ୍ୟ ଦେଇଥିଲେ । ଏହାପରେ ତଳ ଆସନରେ ବସିଥିବା କିଛି ସ୍ଥାନୀୟ ପ୍ରଶଂସକଙ୍କ ସହ ତାଙ୍କର ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହା ପରେ ସେମାନେ ତାଙ୍କୁ ମାଡ଼ ମାରିଥିଲେ ।

ଡାକ୍ତରଖାନା ନିଆଯାଉଥିବା ବେଳେ ବାଂଲାଦେଶୀ ପ୍ରଶଂସକ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ଅଣ୍ଟା ଓ ପେଟରେ ଆକ୍ରମଣ ହୋଇଛି । ଗ୍ରୀନ୍ ପାର୍କ ଷ୍ଟାଡିୟମ୍ କର୍ତ୍ତୃପକ୍ଷ କହିଛନ୍ତି ଯେ, ବାଂଲାଦେଶୀ ପ୍ରଶଂସକଙ୍କ ଆକ୍ରମଣ ଅଭିଯୋଗକୁ ନିଶ୍ଚିତ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ । ଏଥିସହ ଏହି ଘଟଣାର ଗଭୀର ଅନୁସନ୍ଧାନ କରାଯିବ ।