କନକ ବ୍ୟୁରୋ: ବାଃ ବାଃରେ ବ୍ୟବସ୍ଥା । ଧନ୍ୟରେ ସ୍ବାସ୍ଥ୍ୟ ବିଭାଗ । ହଠାତ୍‌ ଆମେକାହିଁକି ଏମିତି କହିଲୁ ତାହା ବୁଝିବାରେ ସମସ୍ୟା ହେଉଥିବ । ହେଲେ ଏହା ପଛରେ ଯେଉଁ କାରଣ ରହିଛି ତାହା ଜାଣିବା ପରେ ଆପଣ ବି ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନ ଉଠାଇବେ । କାରଣ ଆମ୍ବୁଲାନ୍ସ ନଆସିବା କାରଣରୁ ନିଜ ଯୁଗାଡ଼ରେ ରୋଗୀଙ୍କୁ ନେଇ ମେଡିକାଲ ଗଲେ ସମ୍ପର୍କୀୟ । ଯାହାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  

Advertisment

ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଏକ ଲଜ୍ଜାଜନକ ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ନେଇ ଯୋଗୀ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଉପେର ପ୍ରଶ୍ନ ଉଠିଛି । ବିଜେପି ସରକାର ବାରମ୍ବାର କହୁଛି ପ୍ରତିଟି ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚିବ । ହେଲେ କାହିଁକି ଜଣେ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚିପାରିଲାନି ଏବଂ ସେ ନିଜ ଡାଲା ଗାଡିରେ ରୋଗୀଙ୍କୁ ନେଇ ମେଡିକାଲ ଗଲେ ସେନେଇ ବିରୋଧୀ ବି ସରକାରଙ୍କୁ ଘେରିଲେଣି । 

ସୂଚନା ଅନୁସାରେ,  ବାନ୍ଦା ଜିଲ୍ଲାର ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ତାଙ୍କ ପରିବାର ଲୋକେ ବାଧ୍ୟ ହୋଇ ଏକ ଜୁଗାଡ଼ ଗାଡ଼ିରେ ପ୍ରାୟ ୬୨ କିଲୋମିଟର ଦୂର ଡାକ୍ତରଖାନାକୁ ନେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାରେ ଆମ୍ବୁଲାନ୍ସ ସେବାର ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ସମାଲୋଚନା କରାଯାଉଛି ।  ଘଟଣାଟି ମର୍କା ଥାନା ଅଞ୍ଚଳରେ ଘଟିଛି । ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କ ପରିବାର ଲୋକେ ତୁରନ୍ତ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ବାରମ୍ବାର ଫୋନ୍ କରିବା ସତ୍ତ୍ୱେ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ହୋଇପାରି ନଥିଲା । କୁହାଯାଉଛି ଯେ ବର୍ଷା ଏବଂ ନେଟୱର୍କ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସହିତ ସମ୍ପର୍କ ହୋଇପାରି ନଥିଲା । ଶେଷରେ ଅନ୍ୟ କୌଣସି ଉପାୟ ନପାଇ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ଭିଣୋଇ ଏକ ଜୁଗାଡ଼ ଗାଡ଼ିର ବ୍ୟବସ୍ଥା କରିଥିଲେ ।

ସେପଟେ, ଏହି ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚରାଯିବାରୁ ସେ ଅତି ଦାୟିତ୍ବହୀନ ମନ୍ତବ୍ୟ ଦେଇଥିଲେ । କହିଥିଲେ, ଆମ୍ବୁଲାନ୍ସ ସେବା ଲକ୍ଷ୍ନୌରୁ ପରିଚାଳିତ ହେଉଛି ଏବଂ ଏଥିରେ ତାଙ୍କର କୌଣସି ଦାୟିତ୍ୱ ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏମିତି କେମିତି ବୟାନ ଦେଲେ ତାହାକୁ ନେଇ ବି ପ୍ରଶ୍ନ ଉଠିଲାଣି । 

ଏଠାରେ ସ୍ପଷ୍ଟ କରୁଛୁ କି, କେବଳ ୟୁପିରେ ଯେ ୧୦୮ ଆମ୍ବୁଲାନ୍ସ ଭଲରେ କାମ କରୁନି ତାହା ନୁହେଁ ବରଂ ଓଡ଼ିଶାରେ ବି ସମାନ ଦଶା ଦେଖିବାକୁ ମିଳୁଛି । ବାରମ୍ବାର ଫୋନ୍‌  କରିବା ପରେ ବି ଆମ୍ବୁଲାନ୍ସ ଠିକ୍‌ ସମୟରେ ରୋଗୀଙ୍କ ପାଖରେ ପହଞ୍ଚିପାରୁନି । ଯାହାଦ୍ବାରା ଗୁରୁତର ରୋଗୀ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ହେଲେ ସରକାର କହୁଛନ୍ତି ସ୍ବାସ୍ଥ୍ୟସେବାକୁ ଆମେ ସର୍ବାଧିକ ଗୁରୁତ୍ବ ଦେଉଛୁ । ଯଦି ସର୍ବାଧିକ ଗୁରୁତ୍ବ ଦିଆଯାଉଛି ତାହେଲେ ପ୍ରତିଦିନ ପୂରା ଦେଶରୁ କାହିଁକି ଏମିତି ଖବର ସାମ୍ନାକୁ ଆସୁଛି ତାହା ଏବେ ପ୍ରଶ୍ନ ଘେରରେ ।