Ram Temple Photograph: (Kanak News)
କନକ ବ୍ୟୁରୋ : ଅଯୋଧ୍ୟାରେ ସ୍ୱୟଂସମ୍ପୂର୍ଣ୍ଣ ହେଲା ଭବ୍ୟ ରାମ ମନ୍ଦିର । ଚୂଡ଼ାରେ ଲାଗିଲା ଧର୍ମଧ୍ୱଜା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରରେ ଧ୍ୱଜାରୋହଣ କରିଛନ୍ତି । ଏହି ଅବସରରେ ଅଯୋଧ୍ୟାରେ ଏକ ଅଭୂତପୂର୍ବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତେ ରାମମନସ୍କ ଥିଲେ ।
ଉତ୍ସବମୁଖର ଥିଲା ଅଯୋଧ୍ୟା । ଅବକାଶ ଥିଲା ରାମ ମନ୍ଦିରରେ ପତାକା ବନ୍ଧନ ବା ଧ୍ୱଜାରୋହଣ ଉତ୍ସବ । ସକାଳୁ ସକାଳୁ ସମବେତ ସମସ୍ତ ଭକ୍ତଙ୍କ ଦୃଷ୍ଟି ନିବଦ୍ଧ ଥିଲା ୧୯୧ ଫୁଟ୍ ଉଚ୍ଚ ରାମ ମନ୍ଦିର ଶିଖର ଉପରେ । କେତେବେଳେ ଶୋଭା ପାଇବ ଧ୍ୱଜା ? ଶାସ୍ତ୍ରମତେ ପୂଜାର୍ଚ୍ଚନା ପରେ ମନ୍ଦିର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧର୍ମଧ୍ୱଜା ଆରୋହଣ କରିଥିଲେ । ଧର୍ମଧ୍ୱଜା ବନ୍ଧନ ସହ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏହି ଅବସରରେ ଉଦବୋଧନ ଦେଇ ମୋଦୀ କହିଥିଲେ, ଶତାବ୍ଦୀ ଶତାବ୍ଦୀର ଯନ୍ତ୍ରଣା ଲାଘବ ହୋଇ ଆଜି ମିଳିଛି ଶାନ୍ତି ।
ଅଧିକ ପଢ଼ନ୍ତୁ : ୫ ବର୍ଷରେ ତିଆରି ହେଲା ପୁରୁଷୋତ୍ତମଙ୍କ ମନ୍ଦିର; ଜାଣନ୍ତୁ ମନ୍ଦିର ଭିତରେ କ'ଣ କ'ଣ ଅଛି ?
ରାମ ମନ୍ଦିର ଉପରେ ଲାଗିଥିବା ଗୈରିକ ରଙ୍ଗର ଧ୍ୱଜାର ଲମ୍ବ ୨୨ ଫୁଟ୍ ଏବଂ ଓସାର ୧୧ ଫୁଟ୍ । ଅହମ୍ମଦାବାଦରେ ପ୍ରସ୍ତୁତ ଏହି ପତାକାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ବୀରତ୍ୱର ପ୍ରତୀକ ସ୍ୱରୂପ ଉଜ୍ଜଳ ସୂର୍ଯ୍ୟଙ୍କ ଛବି ମଧ୍ୟରେ ଓମ୍ ଲେଖାଅଛି । ମନ୍ଦାର ଓ ପାରିଜାତ ମିଶ୍ରଣରେ ଋଷି କଶ୍ୟପଙ୍କ ଉଦ୍ଭାବିତ କୋବିଦାର ବୃକ୍ଷର ଚିହ୍ନ ମଧ୍ୟ ରହିଛି । ଏହି ବୃକ୍ଷ ପୁନଃ ଆବିଷ୍କୃତ ଅଯୋଧ୍ୟାର ପ୍ରତୀକ । ମୋଦୀ କହିଥିଲେ, ଏହି ଧର୍ମଧ୍ୱଜା କେବଳ ଏକ ପତାକା ନୁହେଁ, ଏହା ଭାରତୀୟ ସଭ୍ୟତାର ପୁନଃ ଜାଗରଣର ସଂକେତ ।
ଅଯୋଧ୍ୟା ରାମ ମନ୍ଦିରରେ ଧ୍ୱଜାରୋହଣ ଅବସରରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସମେତ ସାରାଦେଶରୁ ଆମନ୍ତ୍ରିତ ୭ ହଜାର ଅତିଥି ଉପସ୍ଥିତ ଥିଲେ । ଗତବର୍ଷ ରାମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଆଜି ଧ୍ୱଜାରୋହଣ ସହିତ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ।
Follow Us