କନକ ବ୍ୟୁରୋ:  ପ୍ରାୟ ୬ ମାସ ପରେ ଜେଲରୁ ବାହାରି ବଡ଼ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ଏହି ଘୋଷଣା କରିଛନ୍ତି ଆପ୍‌ ମୁଖ୍ୟ ଆବାହକ । ଅଦାଲତରୁ ନ୍ୟାୟ ମିଳି ସାରିଛି । ଏବେ ଲୋକଙ୍କ କୋର୍ଟରୁ ନ୍ୟାୟ ଲୋଡ଼ିବେ ଅରବିନ୍ଦ କେଜ୍ରିୱାଲ । ଲୋକଙ୍କ ନିର୍ଦ୍ଦେଶ ମିଳିଲେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି କହିଛନ୍ତି । ତେବେ ନଭେମ୍ୱରରରେ ମହାରାଷ୍ଟ୍ର ନିର୍ବାଚନ ସହ ଆଗୁଆ ଦିଲ୍ଲୀ ବିଧାନସଭା ନିର୍ବାଚନ କରାଇବାକୁ ସେ ଦାବି କରିଛନ୍ତି । 
 
ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମେ ଇଡି ଓ ପରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା । ପୂର୍ବରୁ ଇଡି ମାମଲାରେ ଜାମିନ ମିଳିଥିଲା । ଦୁଇଦିନ ତଳେ ସିବିଆଇ ମାମଲାରେ ଜାମିନ ପାଇ ତିହାର ଜେଲରୁ ମୁକୁଳିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନେଇ ଘୋଷଣା କରିବା ପରେ ସମାଲୋଚନା କରିଛନ୍ତି ବିରୋଧୀ । ବିଜେପି କହିଛି ଏହା କେଜ୍ରିୱାଲଙ୍କ ପିଆର ଷ୍ଟଣ୍ଟ । ଦୁଇଦିନ ପରେ କାହିଁକି, ଆଜି କାହିଁକି ନୁହେଁ? ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା । ସୁପ୍ରିମକୋର୍ଟ ଭୟରେ ଓ ଲୋକଙ୍କ ସମବେଦନା ସାଉଁଟିବାକୁ କେଜ୍ରିୱାଲ ନୂଆ ଚାଲ ଖେଳୁଛନ୍ତି ବୋଲି ଦଳ କହିଛି । କଂଗ୍ରେସ କିନ୍ତୁ ମାପିଚୁପି ପ୍ରତିକ୍ରିୟା ରଖିଛି । 
 
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ସର୍ତ ରହିଛି । କେଜ୍ରିୱାଲଙ୍କ ସଚିବାଳୟ ଗସ୍ତ ଓ ସରକାରୀ ଫାଇଲରେ ଦସ୍ତଖତ ଉପରେ କଟକଣା ଲାଗିଛି । ତେଣୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କେଜ୍ରିୱାଲ ଜଣେ ଅନୁଗତଙ୍କୁ ବସାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।