କନକ ବ୍ୟୁରୋ : ପୁଣି ଥରେ ଅଭିନେତା ସଲମାନ ଖାନଙ୍କୁ ଧମକ । ମଙ୍ଗଳବାର ମୁମ୍ବାଇ ଟ୍ରାଫିକ ପୁଲିସକୁ ଆସିଛି ଧମକପୂର୍ଣ୍ଣ କଲ୍ । ଦୁର୍ବୃତ୍ତ ନିଜକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ କହି ଧମକ ଦେଇଥିବା ସୂଚନା ମିଳିଛି । ତେବେ ଫୋନ କଲର ସତ୍ୟତା କେତେ ରହିଛି, ଏନେଇ ଯାଞ୍ଚ କରୁଛି ମୁମ୍ବାଇ ପୁଲିସ ।
ଧମକ ଦେଇଥିବା ବ୍ୟକ୍ତି ସଲମାନଙ୍କୁ ଜୀବନ ବଞ୍ଚାଇବାକୁ ଦୁଇଟି ବିକଳ୍ପ ଦେଇଛି । ହନୁମାନ ମନ୍ଦିର ଯାଇ କ୍ଷମା ମାଗନ୍ତୁ କିମ୍ବା ୫କୋଟି ଟଙ୍କା ଦିଅନ୍ତୁ । ଯଦି କଥା ନମାନିବେ ତେବେ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା କରିବେ ବୋଲି ଧମକ ମିଳିଛି । ନିକଟରେ ସଲମାନଙ୍କୁ ଧମକ ଦେଇ ଉତ୍ତରପ୍ରଦେଶ ଜଣେ ଯୁବକଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା । କିଛି ଦିନ ହେବ ସଲମାନଙ୍କୁ ଲଗାତାର ଧମକ ମିଳୁଛି । ତେବେ ଘରଠୁ ନେଇ ସୁଟିଂ ସେଦଟ ସବୁଠି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।