କନକ ବ୍ୟୁରୋ : ଆୟାର୍ଲ୍ୟାଣ୍ଡର ଓ୍ଵାଟରଫୋର୍ଡ ସହରରେ ୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଝିଅଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ଆକ୍ରମଣକାରୀମାନେ ତାଙ୍କୁ ଭାରତକୁ ଫେରିଯାଅ କହି ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ଏବଂ ଝିଅ ମୁହଁରେ ମୁଥ ମାରିବା ସହ ସାଇକେଲ ଦ୍ଵାରା ତାଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ଆଘାତ କରିଥିଲେ । ଆୟାର୍ଲ୍ୟାଣ୍ଡରେ ଝିଅର ମାଆ ନର୍ସ ଅଛନ୍ତି ଏବଂ ସେ ସେଠାକାର ନାଗରିକତ୍ବ ବି ପାଇଛନ୍ତି । ଘଟଣା ପରେ ଝିଅର ମା’ କହିଛନ୍ତି, ଝିଅ ଏବେ ବାହାରେ ଖେଳିବାକୁ ଭୟ କରୁଛି ଏବଂ ପରିବାର ମଧ୍ୟ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି । ଏହି ଘଟଣା ଆୟାରଲ୍ୟାଣ୍ଡରେ ପ୍ରବାସୀ ଭାରତୀୟ ବ୍ୟକ୍ତିଙ୍କ ଉପରେ ହେଉଥିବା ଆକ୍ରମଣର ପଂଚମ ଉହାହରଣ, ଗତ କିଛି ମାସରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଗତ ୫ ମାସରେ (ମାର୍ଚ୍ଚ ୨୦୨୫ରୁ ଅଗଷ୍ଟ ୨୦୨୫) ଆୟାରଲ୍ୟାଣ୍ଡରେ ଭାରତୀୟ ମୂଳ ବ୍ୟକ୍ତିଙ୍କ ଉପରେ ଅନ୍ତତଃପକ୍ଷେ ୫ଟି ଗୁରୁତର ନସଲୀୟ ଆକ୍ରମଣ ରିପୋର୍ଟ ହୋଇଛି । ଏହି ଘଟଣାଗୁଡ଼ିକ ଡବଲିନ ଏବଂ ଓ୍ଵାଟରଫୋର୍ଡ ଅଞ୍ଚଳରେ ଘଟିଛି, ଯେଉଁଥିରେ ଅଧିକାଂଶ ଆକ୍ରମଣକାରୀ କିଶୋର ବୟସର ଥିଲେ । ଏହି ଆକ୍ରମଣଗୁଡ଼ିକ ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଗଭୀର ଆଶଙ୍କା ସୃଷ୍ଟି କରିଛି ଏବଂ ଭାରତୀୟ ଦୂତାବାସ ଏକ ଜରୁରୀ ସୁରକ୍ଷା ପରାମର୍ଶ ଜାରି କରି ନାଗରିକମାନଙ୍କୁ ଜନଶୂନ୍ୟ ସ୍ଥାନ ଏଡ଼ାଇବାକୁ ଏବଂ ସତର୍କ ରହିବାକୁ କହିଛି । ବଡ଼ କଥା ହେଉଛି, ଝିଅର ମା’ ଆକ୍ରମଣକାରୀ ପିଲାମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ସେମାନଙ୍କୁ କାଉନସେଲିଂ ଏବଂ ଶିକ୍ଷା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।
ଆୟାର୍ଲ୍ୟାଣ୍ଡରେ ଭାରତୀୟଙ୍କ ଉପରେ ବଢ଼ୁଛି ଆକ୍ରମଣ
ଜୁଲାଇ ୧୯ ଡବଲିନର ଟାଲାଘଟ ଅଞ୍ଚଳରେ ଜଣେ ୪୦ ବର୍ଷୀୟ ଭାରତୀୟଙ୍କୁ ଏକ ଗ୍ୟାଙ୍ଗ୍ ଦ୍ଵାରା ଆକ୍ରମଣ
ଜୁଲାଇ ୨୪ ସମାନ ସ୍ଥାନରେ ଭାରତୀୟଙ୍କ ଉପରେ ଆକ୍ରମଣ
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବ୍ୟକ୍ତିଙ୍କୁ ଏକ ଗ୍ୟାଙ୍ଗ୍ ଛୁରୀ ମାରିଥିଲେ
ଜୁଲାଇ ୨୭ ଡବଲିନରେ ୩୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସନ୍ତୋଷ ଯାଦବଙ୍କ ଉପରେ ୬ ଜଣ ଦୁର୍ବୃତ୍ତଙ୍କ ଆକ୍ରମଣ
ଅଗଷ୍ଟ ୪ ଡବଲିନର ବାଲିମୁନ ଅଞ୍ଚଳରେ କ୍ୟାବ୍ ଡ୍ରାଇଭର ଲଖବୀର ସିଂଙ୍କ ଉପରେ ଆକ୍ରମଣ
ଆକ୍ରମଣକାରୀମାନେ ତାଙ୍କୁ ନିଜ ଦେଶକୁ ଫେରିଯାଅ କହି ଆକ୍ରମଣ କରିଥିଲେ
ଅଗଷ୍ଟ ୬ ୱାଟରଫୋର୍ଡରେ ୬ ବର୍ଷୀୟ ଝିଅ ଉପରେ ଆକ୍ରମଣ
ଘଟଣାକୁ ନେଇ ତତ୍ପରତା ଦେଖାଛି ଆୟାର୍ଲ୍ୟାଣ୍ଡ ପ୍ରଶାସନ । ସକାଳେ ଡବଲିନର କାଉନସିଲର ପ୍ରବାସୀ ଭାରତୀୟଙ୍କୁ ଭେଟିଛନ୍ତି ଏବଂ ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ବୈଠକରେ କାଉନସିଲର କ୍ୟାରୋଲିନ୍ ବ୍ରାଡି କହିଛନ୍ତି, ଭାରତୀୟ ପ୍ରବାସୀଙ୍କ ପାଖରେ ପହଞ୍ଚିବ ପ୍ରଶାସନ । ପୁଲିସ୍ ନିରାପତ୍ତା ପ୍ରକ୍ରିୟା ଉପରେ ଆଲୋଚନା କରିବେ । ପୁଲିସ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କାଉନସିଲର ପ୍ରତିକ୍ରିୟା ଦେଇଛନ୍ତି ।