କନକ ବ୍ୟୁରୋ: ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇଛି । ଏହାର ପ୍ରଭାବ ଏବେ ପୂରା ଦେଶରେ ଦେଖିବାକୁ ମିଳିଛି । କିନ୍ତୁ ଚୀନ୍ ଗସ୍ତରେ ମୋଦୀ ଯିବା ପରେ ଚୀନ୍ ଓ ଭାରତ ମଧ୍ୟରେ ସମ୍ପର୍କ ସୁଧୁରୁଛି । ଖାଲି ସମ୍ପର୍କ ସୁଧୁରୁଛି ତାହା ନୁହେଁ ବରଂ ଆଗାମୀ ଦିନରେ ଭାରତ ଓ ଚୀନ୍ ମିଳିତ ଭାବରେ ବାଣିଜ୍ୟ ଓ ଦ୍ବିପାକ୍ଷିକ କାରବାର କରିବେ ବୋଲି ଜଣାପଡ଼ିଛି । ଖାଲି ଭାରତ-ଚୀନ୍ ନୁହେଁ ବରଂ ଋଷିଆ ବି ସାମିଲ ହେଲାଣି । ଯଦି ତ୍ରିଶକ୍ତି ମିଶିଯିବେ ତେବେ ଆମେରିକା ସାଙ୍ଘାତିକ ଭାବରେ ହଇରାଣ ହେବ ବୋଲି କୁହାଯାଉଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।
ଭାରତ ଉପରେ ଆମେରିକା ଲଗାଇଛି ଟାରିଫ୍
ଏବେ ଟାରିଫ୍ରେ ନିଜେ ଫସିଯିବ
ଆମେରିକା ଉପରେ ବଢ଼ିବ ଅର୍ଥନୈତିକ ବୋଝ
ଭୁଶୁଡ଼ିବ ଆମେରିକା ଅର୍ଥନୀତି
ଚିନ୍ତାରେ ଟ୍ରମ୍ପ ସରକାର
ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ଏବେ ପୂରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ଏହାଦ୍ବାରା ବାଣିଜ୍ୟ ସାଙ୍ଘାତିକ ଭାବରେ ପ୍ରଭାବିତ ହେଉଛି । କିନ୍ତୁ ଏହା ଜାରି ରହିଲେ ଆମେରିକା ହିଁ ସର୍ବାଧିକ କ୍ଷତି ସହିବ ବୋଲି କୁହାଯାଉଛି । କାରଣ ଆମେରିକା ଅର୍ଥନୀତି ଉପରେ ସାଙ୍ଘାତିକ ଭାବରେ ବୋଝ ବଢ଼ିବ । ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ, ଯେଉଁଥି ପାଇଁ ଆମେରିକୀୟ ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ । ଯାହା ଫଳରେ ଗ୍ରାହକମାନେ ଅଧିକ ସାମଗ୍ରୀ କିଣିବେ ନାହିଁ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ।
ଲାଗିଛି ଟାରିଫ୍
ଆମେରିକା ପାଇବନି କଞ୍ଚାମାଲ୍
କଥାହେଲା ଭାରତରୁ ଅନେକ ମାତ୍ରାରେ କଞ୍ଚାମାଲ ଆମେରିକା ଆମଦାନୀ କରେ । ହେଲେ ଏବେ ଆମେରିକୀୟ କମ୍ପାନି ଗୁଡ଼ିକ କଞ୍ଚାମାଲ୍ ଠିକ୍ରେ ପାଇବେ ନାହିଁ କିମ୍ବା ନେବେ ନାହିଁ। କାରଣ ଶୁଳ୍କ ବୃଦ୍ଧି ହେତୁ ସେମାନଙ୍କର ଉତ୍ପାଦନ ଖର୍ଚ୍ଚ ବଢିଯିବ, ଯାହା ସେମାନଙ୍କର ଲାଭ ଉପରେ ନକାରାତ୍ମକ ପ୍ରଭାବ ପକାଇବ । ସ୍ଥିତି ଏମିତି ହୋଇପାରେ ଆମେରିକାର ଅନେକ କମ୍ପାନି ବୁଡ଼ିଯାଇପାରେ । ଖାଲି ଏତିକି ନୁହେଁ ବରଂ ଭାରତର ପ୍ରତିଶୋଧମୂଳକ ଶୁଳ୍କ ଆମେରିକୀୟ ରପ୍ତାନୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଯାହାଦ୍ବାରା ଆମେରିକାର କୃଷକମାନେ ବି ସାଙ୍ଘାତିକ ଭାବରେ ପ୍ରଭାବିତ ହୁଏ ।
ଟାରିଫ୍ ବିଗାଡିଲା ରାଜନୈତିକ ସମ୍ପର୍କ
ଭାରତ ଉପରେ ଆମେରିକା ଟାରିଫ୍ ଲଗାଇବା ପରେ ପୂର୍ବ ଅପେକ୍ଷା ଏବେ ରାଜନୈତିକ ସମ୍ପର୍କରେ ବି ତିକ୍ତତା ଆସିଛି । କଥାହେଲା, ସାମରିକ ଓ ବାଣିଜ୍ୟିକ କ୍ଷେତ୍ରରେ ଭାରତ ଓ ଆମେରିକା ମିଳିତ ଭାବରେ କାମ କରିବେ ବୋଲି ଉଭୟ ରାଷ୍ଟ୍ରର ନେତା ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ଆମେରିକା ଟାରିଫ୍ ଲଗାଇବା ପରେ ଆଗାମୀ ଦିନରେ ଭାରତ ଓ ଆମେରିକା କେତେ ମାତ୍ରାରେ ଏକାଠି ହୋଇ କାମ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଏହାରି ଭିତରେ କିନ୍ତୁ ମୋଦୀଙ୍କ ଚୀନ୍ ଗସ୍ତ ଉପରେ ଆମେରିକା ନଜର ରଖିଛି ।