କନକ ବ୍ୟୁରୋ: ଇସ୍ରାଏଲ୍ ଇରାନ୍ ଯୁଦ୍ଧ ସପ୍ତମ ଦିନରେ ପହଞ୍ଚିଥିଲା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ପ୍ରଚଣ୍ଡ ଆକ୍ରମଣ କରୁଛନ୍ତି । ହେଲେ ଏବେ ଇରାନ୍ କେବଳ ଇସ୍ରାଏଲ୍ ସହ ଯୁଦ୍ଧ କରୁନାହିଁ ବରଂ ଅନ୍ୟ ଏକ ଦିଗରେ ମଧ୍ୟ ସଂଘର୍ଷ କରୁଛି । ଯୁଦ୍ଧଭଳି ଘଡ଼ିସନ୍ଧି ସମୟରେ ଇରାନର ହାତ ଛାଡ଼ି ଦେଇଛନ୍ତି ସହଯୋଗୀ । ଇସ୍ରାଏଲ୍ ଓ ଇରାନ୍ ପରମ ଶତ୍ରୁ ରାଷ୍ଟ୍ର । ଇସ୍ରାଏଲ୍ ବିରୋଧରେ ଲଗାତର ଭାବେ ଇରାନ୍ ଛାୟା ଯୁଦ୍ଧ ଚଳାଇ ଆସୁଥିଲା । ଏଥିପାଇଁ ପଡ଼ୋଶୀ ଦେଶମାନଙ୍କରେ ବିଭିନ୍ନ ସାମରିକ ସଂଗଠନକୁ ଅସ୍ତ୍ରଶସ୍ତ୍ର ଓ ତାଲିମ ଯୋଗାଇ ଆସୁଥିଲା ଇରାନ୍ । ଲେବାନନର ହିଜବୁଲ୍ଲା, ପାଲେଷ୍ଟାଇନର ହମାସ୍, ୟେମେନର ହୁତି ପରି ସଂଗଠନକୁ ବର୍ଷ ବର୍ଷ ଧରି ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇଆସୁଥିଲା ଇରାନ୍ । ଏହି ସଂଗଠନ ଇସ୍ରାଏଲ ବିରୋଧରେ କାର୍ଯ୍ୟକଳାପ ଜାରି ରଖିଥିଲେ । ଏପରିକି ହମାସ୍ ବିରୋଧରେ ଇସ୍ରାଏଲ୍ ଯୁଦ୍ଧ ଆରମ୍ଭ କରିବା ପରେ ହିଜବୁଲ୍ଲା ଓ ହୁତି ସକ୍ରିୟ ହୋଇ ଉଠିଥିଲେ । ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲେ । ହେଲେ ଇସ୍ରାଏଲ୍ ଏହାର ପାଲଟା ଜବାବ ଦେଇ ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏପରିକି ହିଜବୁଲ୍ଲାର ସର୍ବୋଚ୍ଚ ନେତା ଇସ୍ରାଏଲ୍ ଆକ୍ରମଣରେ ନିହତ ହୋଇଥିଲେ । ହେଲେ ଏବେ ଯେତେବେଳେ ଇରାନ୍ ଓ ଇସ୍ରାଏଲ୍ ଯୁଦ୍ଧ ଲଢୁଛନ୍ତି, ସେତେବେଳେ ଏହି ସହଯୋଗୀ ମାନେ ଏକଦମ୍ ନିରବ ରହିଥିବା ଦେଖିବାକୁ ମିଳୁଛି ।
କାହିଁକି ନିରବ ଇରାନ୍ ସହଯୋଗୀ ?
ଇରାନ୍ ଯୁଦ୍ଧ ଲଢୁଥିବା ବେଳେ ନିରବ ରହିଛି ହିଜବୁଲ୍ଲା
ହିଜବୁଲ୍ଲା ଇସ୍ରାଏଲ ଉପରେ ଗୋଟିଏ ହେଲେ ରକେଟ୍ ମାଡ଼ କରିନାହିଁ
ଆଗରୁ ବାରମ୍ବାର ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରୁଥିଲା ହିଜବୁଲ୍ଲା
ଇସ୍ରାଏଲର ବାରମ୍ବାର ଆକ୍ରମଣରେ ହିଜବୁଲ୍ଲାର ମେରୁଦଣ୍ଡ ଭାଙ୍ଗିପଡ଼ିଛି
ହିଜବୁଲ୍ଲାର ସର୍ବୋଚ୍ଚ ନେତା ହସନ ନସରଲ୍ଲା ଇସ୍ରାଏଲ ଆକ୍ରମଣରେ ନିହତ ହୋଇଥିଲେ
ସେବେଠୁ ଏକପ୍ରକାର ନିରବ ହୋଇଯାଇଛି ଲେବାନନର ଏହି ସାମରିକ ସଂଗଠନ
ଓମାନର ହୁତି ସଂଗଠନ ବି ନିରବ ରହିଛି
ଇରାନ୍ ସମର୍ଥନରେ ଇସ୍ରାଏଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ
ହୁତିଙ୍କୁ ଘାରିଛି ଇସ୍ରାଏଲ ଆକ୍ରମଣ ଭୟ
ଇରାନ୍ ର ଅନ୍ୟ ସହଯୋଗୀ ହମାସ୍ ଏବେ ନିଜେ ଯୁଦ୍ଧ ଲଢୁଛି
ହମାସ୍ ଉପରେ ଆକ୍ରମଣ କରି ପ୍ରଚଣ୍ଡ କ୍ଷତି ପହଞ୍ଚାଇସାରିଛି ଇସ୍ରାଏଲ୍
ଫଳରେ ଏବେ ଇରାନ ନିଜର ଛାୟା ସଂଗଠନ ବିନା ଏକାକୀ ଯୁଦ୍ଧ ଲଢୁଛି
ଏହି ସବୁ ସାମରିକ ସଂଗଠନ ଆକ୍ରମଣ କରୁନଥିବାରୁ ଇସ୍ରାଏଲ ନିଜର ଶକ୍ତିକୁ ଇରାନ୍ ଉପରେ ପୂରା କେନ୍ଦ୍ରୀଭୂତ କରିଛି, ଆଉ ଗୋଟିଏ ପରେ ଗୋଟିଏ ପ୍ରଚଣ୍ଡ ଆକ୍ରମଣ କରୁଛି ।
ସାଥ୍ ଦେବେକି ସହଯୋଗୀ ରାଷ୍ଟ୍ର? କ’ଣ ରହିବ ଚୀନ୍ ଓ ରୁଷ୍ ଭୂମିକା?
ଇରାନର ସହଯୋଗୀ ରାଷ୍ଟ୍ର ଭିତରେ ଚୀନ୍, ରୁଷ୍ ଓ ଉତ୍ତର କୋରିଆ ରହିଛନ୍ତି । ଇସ୍ରାଏଲର ଆକ୍ରମଣକୁ ରୁଷ୍ ରାଷ୍ଟ୍ରପତି ପୁଟିନ୍ ସମାଲୋଚନା କରିସାରିଛନ୍ତି । ଇରାନ୍ ଠାରୁ ସବୁଠୁ ଅଧିକ ତେଲ କିଣିଥାଏ ଚୀନ୍ । ଏହାସହ ଚୀନ୍ ନେତୃତ୍ବାଧୀନ ସାଂଘାଇ ସହଯୋଗ ସଂସ୍ଥାରେ ଇରାନ୍ ମଧ୍ୟ ସାମିଲ ଅଛି । ଇରାନରେ ପରମାଣୁ କ୍ଷେତ୍ର ପ୍ରସ୍ତୁତିରେ ଚୀନ୍ ସହଯୋଗ କରିଥିଲା । ହେଲେ ଏହି ଯୁଦ୍ଧ ଭିତରେ ଇରାନ୍ ସପକ୍ଷରେ ଖୋଲାଖୋଲି କୌଣସି ମନ୍ତବ୍ୟ ଦେଇ ନାହିଁ ଚୀନ୍ । ଇରାନର କ୍ଷେପଣାସ୍ତ୍ର ଓ ପରମାଣୁ କାର୍ଯ୍ୟକ୍ରମକୁ ଗୁପ୍ତରେ ଉତ୍ତର କୋରିଆ ସହାୟତା କରିଆସୁଥିବା ଅଭିଯୋଗ ହୋଇଆସିଛି । ହେଲେ ଉତ୍ତର କୋରିଆ ଶାସକ ଏଯାଏଁ କୌଣସି ବିବୃତି ଜାରି କରିନାହାନ୍ତି । ଭାରତ ଉଭୟ ଇସ୍ରାଏଲ୍ ଓ ଇରାନ୍ ସହ ଭଲ ସମ୍ପର୍କ ରଖିଆସିଛି । ତେଣୁ ଏହି ଯୁଦ୍ଧରେ ଭାରତ ମଧ୍ୟ ନିରବତା ଅବଲମ୍ବନ କରିଆସୁଛି ।