କନକ ବ୍ୟୁରୋ: ମହାରାଷ୍ଟ୍ର ମହାୟୁକ୍ତି ମେଣ୍ଟରୁ ଅଜିତ ପାୱାରଙ୍କ ନେତୃତାଧୀନ ଏନସିପି ଓହରିପାରେ । ଗତକାଲି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ କଥା କଟାକଟି ପାର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଉଠି ଚାଲି ଆସିବାରୁ ଏଭଳି କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାରଙ୍କ ପଦକ୍ଷେପ ନେଇ ରାଜ୍ୟ ରାଜନୀତି ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି । ଉଭୟ ଶରଦ ପାୱାର ଓ ଅଜିତ ପାୱାରଙ୍କ ଗଡ ହେବାଲି କୁହାଯାଉଥିବା ବାରମତିର ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ନେଇ ମହାରାଷ୍ଟ୍ର କ୍ୟାବିନେଟରେ କଥା ଉଠିଥିଲା । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରୁଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଅର୍ଥ ବିଭାଗ ହାତରେ ରଖିଥିବା ଅଜିତ ପାୱାର ବିରୋଧ କରିଥିଲେ । ଯାହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାକୁ କେନ୍ଦ୍ରକରି ଅଜିତ ପାୱାର ବୈଠକ ଶେଷପୂର୍ବରୁ ଚାଲି ଆସିଥିଲେ ।
ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ମହାୟୁତି ମେଂଟ ବିରୋଧୀ ଏମଭିଏ ମେଂଟ ଠାରୁ ପଛରେ ପଡିଥିଲା ଏଥିପାଇଁ ବିଜେପିର ରାଜ୍ୟ ନେତୃତ୍ୱ ଓ ଆରଏସଏସ ଅଜିତ ପାୱାରଙ୍କ ଏନସିପିକୁ ଦାୟୀ କରିଥିଲେ । ସେହିଦିନଠାରୁ ମହାୟୁତି ମେଣ୍ଟରେ ଚାପା ଉତ୍ତେଜନା ଲାଗିରହିଛି । ଏହାଛଡା ଆସନ ଭାଗବଣ୍ଟାକୁ ନେଇ ବିଜେପି ଓ ଏନସିପି ମଧ୍ୟରେ ଟଣାଓଟରା ଚାଲିଛି ।
ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପରେ ଅଜିତ ପାୱାରଙ୍କ ଏନସିପିର ନେତା ଓ କର୍ମୀ ତାଙ୍କ ମୂଳ ଦଳ ଶରଦ ପାୱାରଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ଅଜିତ ପାୱାରଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଛି । ମହାୟୁତିରୁ ଓହରିକି ଏକାକୀ ଲଢିବେ ନା ପୁଣିଥରେ ନିଜ ଦାଦା ଶରଦ ପାୱାରଙ୍କ ପାଖକୁ ଫେରିବେ, ଏଭଳି ପ୍ରଶ୍ନର ଉତ୍ତର ଆଗାମୀ ନିର୍ବାଚନ ମଧ୍ୟରେ ମିଳିବାର ସମ୍ଭାବନା ରହିଛି ।