କନକ ବ୍ୟୁରୋ: ଗୁଜରାଟ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୧୩୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ AI-171 ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ । ପୂରା ବିମାନଟି ଜଳିଯାଇଥିବା ବେଳେ ଆକାଶକୁ କଳା ଧୂଆଁର ବଳୟ ଉଠୁଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ବିମାନଟି ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବା ସମୟରେ ଏଭଳି ଅଘଟଣ ଘଟିଛି । 

Advertisment

ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ନିକଟବର୍ତ୍ତୀ ଏକ କୋଠା କିମ୍ବା କାନ୍ଥରେ ଧକ୍କା ଦେବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ବିମାନ ଦୁର୍ଘଟଣାର ଯେଉଁ ଚିତ୍ର ସାମ୍ନାକୁ ଆସିଛି, ସେଥିରେ ଦେଖାଯାଉଛି ଯେ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଛି । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାର ପାଇଁ ଘଟଣା ସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିଛି । 

ବିମାନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ତ୍ବରିତ ବେଗରେ ଆରମ୍ଭ ହୋଇଛି ଉଦ୍ଧାରକାର୍ଯ୍ୟ । ଘଟଣା ସ୍ଥଳରେ ବିଏସଏଫ ଯବାନ ଓ NDRF ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ଦୁର୍ଘଟଣାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ପୁଲିସ କମିସନରଙ୍କ ସହ ମଧ୍ୟ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସେପଟେ ଘଟଣାର ତଦାରଖ କରୁଥିବା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ।