କନକ ବ୍ୟୁରୋ : ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି । କୋଲକାତାରେ ଜରୁରୀ ଅବତରଣ କଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫୋର୍ଣ୍ଣିଆର ସାନ୍-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି । ବିମାନର ଇଞ୍ଜିନର ଟେକ୍ନିକାଲ ଅସୁବିଧା ଯୋଗୁ ବିମାନକୁ ରହିବାକୁ ପଡିଛି । ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ଏୟାରଇଣ୍ଡିଆର ବିମାନ ଏଆଇ୧୮୦ ଗତକାଲି ରାତି ୧୨ ଟା ୪୫ ମିନିଟ ସମୟରେ କୋଲକାତାରେ ଅବତରଣ କରିଥିଲା । ପରେ ଇଞ୍ଜିନରେ ତ୍ରୁଟି ଯୋଗୁ ବିମାନ ସେଠାରୁ ମୁମ୍ବାଇକୁ ଉଡାଣ ଭରିବାରେ ବିଳମ୍ବ ହୋଇଥିଲା । ପରେ ଭୋର ୫ଟା ୨୦ ମିନିଟ ସମୟରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଯିବାକୁ କୁହାଯାଇଥିଲା । ବିମାନର ସୁରକ୍ଷା ଦୃଷ୍ଟିରୁ ଯାତ୍ରୀଙ୍କୁ ଓହ୍ଲାଇଯିବାକୁ ପାଇଲଟ ଅନୁରୋଧ କରିଥିଲେ ।
ବାରମ୍ବାର ଏୟାରଇଣ୍ଡିଆ ବିମାନରେ ତ୍ରୁଟି ଯୋଗୁ ଯାତ୍ରୀଙ୍କୁ ହନ୍ତସସ୍ତ ହେବାକୁ ପଡୁଛି । ଗତକାଲି ହଂକଂରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଂକଂ ଫେରିଥିଲା । ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନ୍ର ବିମାନ ଫ୍ଲାଇଟ୍ ଏଆଇ ୩୧୫ ଠିକ୍ ସମୟରେ ହଂକଂରୁ ଉଡ଼ାଣ ଭରିଥିଲା । କିନ୍ତୁ ଉଡ଼ାଣ ପରେ କିଛି ସମୟ ମଧ୍ୟରେ ପାଇଲଟ୍ଙ୍କୁ ସିଷ୍ଟମ୍ରେ ସମ୍ଭାବ୍ୟ ତ୍ରୁଟିର ସଙ୍କେତ ମିଳିଥିଲା । ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପାଇଲଟ ତୁରନ୍ତ ବିମାନକୁ ହଂକଂର ଚେକ୍ ଲାପ କୋକ ବିମାନବନ୍ଦରକୁ ଫେରାଇ ନେଇଥିଲେ ।