କନକ ବ୍ୟୁରୋ : ପୂର୍ବତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଵାଣେଙ୍କ ଅପ୍ରକାଶିତ ପୁସ୍ତକ "ଫୋର୍ ଷ୍ଟାର୍ ଅଫ୍ ଡେଷ୍ଟିନି"କୁ ନେଇ ବିବାଦ ମଧ୍ୟରେ, ପ୍ରତିରକ୍ଷା ମନ୍ତ୍ରଣାଳୟ କଠୋର ନିୟମ ପ୍ରଣୟନ କରିବାକୁ ଯାଉଛି । ସେବାରତ କିମ୍ବା ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ପାଇଁ ମନ୍ତ୍ରଣାଳୟ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛି ।

Advertisment

ପ୍ରସ୍ତାବିତ ନିୟମାବଳୀ ଅନୁଯାୟୀ, ବର୍ତ୍ତମାନ ସେବାରତ କିମ୍ଵା ଅବସରପ୍ରାପ୍ତ ସୈନିକ ଓ ଅଧିକାରୀମାନଙ୍କୁ ପୁସ୍ତକ ଲେଖିବା ପୂର୍ବରୁ ମନ୍ତ୍ରଣାଳୟରୁ ଅନୁମତି ନେବାକୁ ପଡ଼ିବ । ଏହାର ଅର୍ଥ ହେଉଛି ଦେଶର ସୈନିକମାନେ ମନ୍ତ୍ରଣାଳୟରୁ ଅନୁମତି ପାଇବା ପରେ ହିଁ ଲେଖିପାରିବେ । ତଥାପି, ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ ।


ପୁସ୍ତକ ଲେଖିବା ପୂର୍ବରୁ ଅନୁମତି ନେବେ ସେନା ଅଧିକାରୀ ! ନୂତନ ନିୟମରେ କ’ଣ ରହିବ ? ନିର୍ଦ୍ଦେଶାବଳୀ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀ ଉଭୟଙ୍କ ପାଇଁ ପ୍ରଯୁଜ୍ୟ ହେବ । ପୁସ୍ତକ ପ୍ରକାଶ ପୂର୍ବରୁ ଅନୁମୋଦନ ପାଇଁ ଏକ ସ୍ପଷ୍ଟ ପ୍ରକ୍ରିୟା ସ୍ଥିର କରାଯିବ । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କିମ୍ବା ସେନା ମୁଖ୍ୟାଳୟରୁ ଅନୁମତି ନେବା ଅନ୍ତର୍ଭୁକ୍ତ ହେବ । ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ସମ୍ବେଦନଶୀଳ ସୂଚନା ସମ୍ବଳିତ ପୁସ୍ତକକୁ ‘ଏମ୍ଓଡି’ନିକଟରେ ଦାଖଲ କରିବା ବାଧ୍ୟତାମୂଳକ । କାଳ୍ପନିକ କୃତିରେ ବି ପ୍ରକୃତ ସମ୍ବେଦନଶୀଳ ସୂଚନାର ବ୍ୟବହାର ନିଷେଧ ରହିବ । ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଦେଶର ଗୁପ୍ତ ସୂଚନାକୁ ସୁରକ୍ଷା ଦେବା ପାଇଁ ଏହି ନିୟମଗୁଡ଼ିକ ପ୍ରଚଳନ କରାଯାଉଛି । କାରଣ ବର୍ତ୍ତମାନ ଅବସରପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ପୁସ୍ତକ ଲେଖିବା ପାଇଁ କୌଣସି ନିର୍ଦ୍ଦେଶାବଳୀ ନାହିଁ ।