ମୁରବି ଯିବା ପରେ ଟାଟା ଗ୍ରୁପ୍‌ରେ ଫାଟ; ନୋଏଲ୍ ଟାଟା-ମିସ୍ତ୍ରି ପରିବାର ମୁହାଁମୁହି…

ତେବେ ମେହଲି ହେଉଛନ୍ତି ସାପୁରଜୀ ପାଲୋଞ୍ଜି ପରିବାରର ସଦସ୍ୟ ଏବଂ ତାଙ୍କ ପରିବାରର ଟାଟା ଗ୍ରୁପ୍‌ରେ ୧୮.୩୭ ପ୍ରତିଶତ ସେୟାର ରହିଛି ।

tata-group

କନକ ବ୍ୟୁରୋ: ରତନ ଟାଟାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ହିଁ ଟାଟା ଗ୍ରୁପ୍‌ରେ ବଡ଼ ଧରଣର କଳି ଲାଗିଛି । ସ୍ଥିତି ଏଭଳି ଗମ୍ଭୀର ହୋଇଛି ଯେ ସରକାରଙ୍କୁ ହସ୍ତକ୍ଷେପ କରିବା ଲାଗି କମ୍ପାନିର କିଛି ଅଧିକାରୀ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ରତନ ଟାଟା ଆରପାରିକୁ ଚାଲିଯିବା ପରେ ଟାଟା ଗ୍ରୁପ୍‌ର ପଦ ପଦବୀରେ ପରିବର୍ତ୍ତନ ହୋଇଥିଲା । ତାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ୨୦୨୪ ଅକ୍ଟୋବରରେ ‘ଟାଟା ସନ୍ସ’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା ଓ ମାସକ ପରେ ତାଙ୍କୁ ବୋର୍ଡରେ ସାମିଲ କରାଯାଇଥିଲା । ନୋଏଲଙ୍କ ସେହି ନିଯୁକ୍ତିକୁ ନେଇ କିନ୍ତୁ ଅନ୍ୟ ବୋର୍ଡ ସଦସ୍ୟମାନେ ନାରାଜଥିଲେ । ଯାହାକୁ ନେଇ ଏବେ ଟାଟା ସନ୍ସକୁ ପରିଚାଳନା କରୁଥିବା ‘ଟାଟା ଟ୍ରଷ୍ଟ୍ସ’ର ଅଧିକାରୀମାନେ ଦୁଇ ଭାଗ ହୋଇଯାଇଛନ୍ତି । ଗୋଟିଏ ପକ୍ଷ ନୋଏଲଙ୍କ ସହିତ ଥିବା ବେଳେ ଅନ୍ୟ ପକ୍ଷ ମେହଲି ମିସ୍ତ୍ରିଙ୍କ ସାଥ୍ ଦେଉଛନ୍ତି । ତେବେ ମେହଲି ହେଉଛନ୍ତି ସାପୁରଜୀ ପାଲୋଞ୍ଜି ପରିବାରର ସଦସ୍ୟ ଏବଂ ତାଙ୍କ ପରିବାରର ଟାଟା ଗ୍ରୁପ୍‌ରେ ୧୮.୩୭ ପ୍ରତିଶତ ସେୟାର ରହିଛି ।

ବୋର୍ଡରେ ସିଟ୍‌କୁ ନେଇ ନୋଏଲ ଓ ମିସ୍ତ୍ରିଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ ଚଳିତ ମାସ ୭ରେ କମ୍ପାନିର ବରିଷ୍ଠ ଅଧିକାରୀମାନେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ୪୫ ମିନିଟ୍ ଧରି ଆଲୋଚନା କରିଥିଲେ । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ । ପାରିବାରିକ ଝଗଡ଼ାକୁ ଶୀଘ୍ର ସମାଧାନ କରିବାକୁ ଉଭୟ ମନ୍ତ୍ରୀ କମ୍ପାନି ଅଧିକାରୀଙ୍କୁ କହିଥିଲେ ବି କିଛି ସମାଧାନ ହୋଇପାରିନି । କାରଣ ମେହଲିଙ୍କୁ ବୋର୍ଡକୁ ମନୋନୀତ କରିବା ଲାଗି ପ୍ରସ୍ତାବ ଦେଇଥିଲେ ବି ନୋଏଲ ଓ ତାଙ୍କ ଅନ୍ୟ ସଦସ୍ୟ ଗ୍ରହଣ କରିନଥିଲେ । ଏହି ଝଗଡ଼ାରେ ମେହଲିଙ୍କ ସହ ଥିବା ଚାରି ସଦସ୍ୟଙ୍କ ସାପୁରଜୀ ପାଲୋଞ୍ଜି ପରିବାର ସହ ସମ୍ପର୍କ ରହିଛି ।

ବଡ଼ କଥା ହେଉଛି ପାଲୋଞ୍ଜି ପରିବାରର ସଦସ୍ୟ ସ୍ଵର୍ଗତ ସାଇରସ୍ ମିସ୍ତ୍ରିଙ୍କୁ କିଛି ବର୍ଷ ପୂର୍ବେ ଟାଟା ସନ୍ସର ଅଧ୍ୟକ୍ଷ କରାଯାଇଥିଲା । ସେ ଟାଟା ପରିବାର ବାହାରର ପ୍ରଥମ ସଦସ୍ୟ ଥିଲେ ଯାହାଙ୍କୁ ସେହି ପଦ ମିଳିଥିଲା। ରତନ ଟାଟା ଅବସର ନେବା ପରେ ସାଇରସ୍ କମ୍ପାନିର ନେତୃତ୍ବ ନେଇଥିଲେ । କିନ୍ତୁ ତାଙ୍କ କାର୍ଯ୍ୟକାଳ ବିବାଦୀୟ ରହିଥିଲା ଓ ତାଙ୍କୁ ଏକ ବୋର୍ଡ ବୈଠକ ପୂର୍ବରୁ ୨୦୧୬ରେ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା । ସେହି ନିଷ୍ପତ୍ତିକୁ ସାଇରସ୍ ଅନ୍ୟାୟ ବୋଲି କହିବା ସହ ଟାଟା ବିରୋଧରେ ଆଇନଗତ ଲଢ଼େଇ ଲଢ଼େଇ ଜାରି ରଖିଥିଲେ । କିନ୍ତୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ନୋଏଲଙ୍କ ସହ ମୁହାଁମୁହିଁ ସ୍ଥିତିକୁ ଆସିଥିବା ମେହଲି ହେଉଛନ୍ତି ସାଇରସ୍‌ଙ୍କ ସମ୍ପର୍କୀୟ ଭାଇ ।

କୁହାଯାଉଛି ଟାଟା ଟ୍ରଷ୍ଟ ବିବାଦ ପଛରେ ୧୦୦୦ କୋଟି ଟଙ୍କାର ନିବେଶ ନିଷ୍ପତ୍ତି ବଡ଼ କାରଣ । ଟାଟା ସନ୍ସର ମୁଖ୍ୟ ନୋଏଲ ଟାଟାଙ୍କ କ୍ଷତିରେ ଚାଲୁଥିବା କମ୍ପାନି ଟାଟା ଇଣ୍ଟରନ୍ୟାସନାଲ୍‌ରେ ୧୦୦୦ କୋଟି ଟଙ୍କା ନିବେଶ କରିବା ଲାଗି ଆସିଥିବା ପ୍ରସ୍ତାବକୁ ବୋର୍ଡ ସଦସ୍ୟମାନେ ବିରୋଧ କରିଥିଲେ । ଏଥିରେ ଟ୍ରଷ୍ଟର ରହିଥିବା ପ୍ରକ୍ରିୟାକୁ ଠିକ୍ ଭାବେ ପାଳନ କରାଯାଇନଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe