କନକ ବ୍ୟୁରୋ : ମହିଳାଙ୍କ ମାଆ ହେବାର ସ୍ୱପ୍ନକୁ ପୁରଣ କଲା AI । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ୨୦ ବର୍ଷ ଧରି ଗୋଟିଏ ସନ୍ତାନ ପାଇଁ ସଂଘର୍ଷ କରି ଶେଷରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା ସଫଳତା ପାଇଥିବା ନ୍ୟୁୟର୍କର ଏକ ଦମ୍ପତିଙ୍କ କାହାଣୀ ଆଜି ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ଦମ୍ପତି ୧୫ ଥର IVF ପଦ୍ଧତି ଆପଣାଇ ବିଫଳ ହୋଇଛନ୍ତି । ଅନେକ ବିଶେଷଜ୍ଞଙ୍କ ପରାମର୍ଶ ବି ନେଇଛନ୍ତି, କିନ୍ତୁ ପ୍ରତ୍ୟେକ ଥର ମାତୃତ୍ୱର ସ୍ୱପ୍ନ ଭାଙ୍ଗୁଥିଲା । ପ୍ରତ୍ୟେକ ଥର ସେମାନେ ବିଫଳ ହେଉଥିଲେ । କିନ୍ତୁ ଯେତେବେଳେ ଆଶାର ସମସ୍ତ କିରଣ ମଳିନ ହେବାକୁ ଲାଗିଲା । ସେତେବେଳେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଆବିଷ୍କାର ହୋଇଥିବା ଏକ AI-ଆଧାରିତ ପ୍ରଜନନ ଉପକରଣ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା । ଏହି ଉପକରଣର ନା ହେଉଛି STAR ଅର୍ଥାତ (ସ୍ପର୍ମ ଟ୍ରାକ ଆଣ୍ଡ ରିକଭରି) । ଯାହା ବନ୍ଧ୍ୟାତ୍ୱର ଚିକିତ୍ସାରେ ଏକ ବୈପ୍ଳବିକ ମୋଡ଼ ଆଣିଥିଲା ।

Advertisment

କିନ୍ତୁ STAR କ'ଣ ଏବଂ ଏହା କିପରି କାମ କରେ ? STAR ହେଉଛି ଏକ AI ସିଷ୍ଟମ ଯାହା ବୀର୍ଯ୍ୟ ନମୁନାରେ ମଧ୍ୟ ଜୀବନ୍ତ ଶୁକ୍ରାଣୁ ଚିହ୍ନଟ କରେ ଯେଉଁଥିରେ ସାଧାରଣତଃ କୌଣସି ଶୁକ୍ରାଣୁ ଦେଖାଯାଏ ନାହିଁ । ଷ୍ଟାର୍ ଏକ ମେସିନ୍ ଲର୍ଣ୍ଣିଂ ଆଲଗୋରିଦମ୍ ମାଧ୍ୟମରେ ଏହି ଲୁଚି ରହିଥିବା ଶୁକ୍ରାଣୁକୁ ଚିହ୍ନଟ କରିପାରେ । ଡାକ୍ତରମାନେ ଯାହାକୁ "ଘାସ ଗଦାରେ ଛୁଞ୍ଚି ଖୋଜିବା" ବୋଲି କୁହନ୍ତି । STAR କିଛି ଘଣ୍ଟା ମଧ୍ୟରେ ଏହା କରିଦେଖାଏ ଏବଂ ତାହା ମଧ୍ୟ ଏତେ ସତର୍କତାର ସହିତ ଯେ ଶୁକ୍ରାଣୁ IVF ରେ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଥାଏ ।

ଏହି ଦମ୍ପତିଙ୍କ କ୍ଷେତ୍ରରେ, ସାଧାରଣ ଲ୍ୟାବ ଟେକ୍ନିସିଆନ୍ ଦୁଇ ଦିନ ପାଇଁ ନମୁନାରେ ଗୋଟିଏ ବି ଶୁକ୍ରାଣୁ ଖୋଜି ପାରିଲେ ନାହିଁ । କିନ୍ତୁ STAR ମାତ୍ର ଗୋଟିଏ ଘଣ୍ଟାରେ ୪୪ଟି ଜୀବନ୍ତ ଶୁକ୍ରାଣୁ ଖୋଜିପାରିଲା । ଏହା ପରେ କୌଣସି ଅସ୍ତ୍ରୋପଚାର କିମ୍ବା ହରମୋନ ଚିକିତ୍ସା ବିନା ମାର୍ଚ୍ଚ 2025 ରେ IVF କରାଯାଇଥିଲା ଏବଂ ଏହା ସଫଳ ହୋଇଥିଲା । ବର୍ତ୍ତମାନ ଦମ୍ପତି ସେମାନଙ୍କ ପ୍ରଥମ ସନ୍ତାନର ଆଗମନ ପାଇଁ ଅପେକ୍ଷା କରିଛନ୍ତି । ଏବେ STAR କେବଳ ଶୁକ୍ରାଣୁ ଚିହ୍ନଟ କରିବାରେ ସାହାଯ୍ୟ କରୁଛି, କିନ୍ତୁ ଭବିଷ୍ୟତରେ AI ଏହିସବୁ କାର୍ଯ୍ୟଗୁଡ଼ିକରେ ମଧ୍ୟ ସାହାଯ୍ୟ କରିପାରେ । ଯେମିତିକି ଉଚ୍ଚମାନର ଡିମ୍ବାଣୁ ଏବଂ ଭ୍ରୁଣ ଚିହ୍ନଟ କରିବା, IVF ସଫଳତାର ସମ୍ଭାବନା ପୂର୍ବାନୁମାନ କରିବା, ବ୍ୟକ୍ତିଗତ ଚିକିତ୍ସା ଯୋଜନା ଏବଂ ପ୍ରଜନନ ଟିସୁରେ ସୂକ୍ଷ୍ମ ତ୍ରୁଟି ଚିହ୍ନଟ କରିବା ଆଦି କାମ କରିପାରିବାର ଲକ୍ଷ୍ୟ ରହିଛି । ଏଆଇ ମାଧ୍ୟମରେ ଏହା କେବଳ ଏକ ଡାକ୍ତରୀ ସଫଳତା ନୁହେଁ, ବରଂ ଏହା ପ୍ରଯୁକ୍ତିବିଦ୍ୟା, ଧୈର୍ଯ୍ୟ ଏବଂ ଚିନ୍ତାଧାରାର ବିଜୟ ।