କନକ ବ୍ୟୁରୋ : ନୂଆ ଦଳ ଗଢିବେ କି ଏଲନ୍ ମସ୍କ? ଏକ୍ସରେ ମସ୍କଙ୍କ ପୋଷ୍ଟ ପରେ ବଢିଲା ଚର୍ଚ୍ଚା । ଟେସ୍‌ଲା ଓ ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତା ଭାଙ୍ଗିବା ପରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି । ଏହାରି ଭିତରେ ଆମେରିକାରେ ଏକ ରାଜନୈତିକ ଦଳ ଆବଶ୍ୟକତା ରହିଥିବା କହିଛନ୍ତି ଏଲନ୍ ମସ୍କ । ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଲ୍ ଆରମ୍ଭ କରିଥିଲେ । ଆମେରିକାରେ ଆଉ ଏକ ରାଜନୈତିକ ଦଳର ଆବଶ୍ୟକତା ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ମସ୍କ । ୮୦ ପ୍ରତିଶତ ଲୋକ ସମର୍ଥନରେ ଭୋଟ୍ ଦେଇଛନ୍ତି । ଏହା ପରେ ମସ୍କ ଏକ୍ସରେ ଲେଖିଛନ୍ତି ଯେ, ସାଧାରଣ ଜନତା ସେମାନଙ୍କ ନିଷ୍ପତ୍ତି ଶୁଣାଇ ସାରିଛନ୍ତି । ଆମେରିକାରେ ଏକ ନୂଆ ରାଜନୈତିକ ଦଳର ଆବଶ୍ୟକତା ରହିଛି । ଏହା ପରେ ସେ ଏକ ପୋଷ୍ଟରେ ‘ଦ ଆମେରିକାନ୍ ପାର୍ଟି’ ବୋଲି ଲେଖିଛନ୍ତି । 

Advertisment

ସେ ନଥିଲେ ଟ୍ରମ୍ପ ନିର୍ବାଚନ ହାରିଯାଇଥାନ୍ତେ ବୋଲି ଖୋଲାଖୋଲି ଭାବେ କହିଥିଲେ ଟେସ୍‌ଲା ମାଲିକ ଏଲନ୍ ମସ୍କ । ଏକ୍ସରେ ପୋଷ୍ଟ କରି ଲେଖିଥିଲେ, ସେ ନ ଥିଲେ ଟ୍ରମ୍ପ୍ ନିର୍ବାଚନରେ ହାରିଥାନ୍ତେ । ଡେମୋକ୍ରାଟ୍‌ସ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସକୁ କବ୍‌ଜା କରିନେଇଥାନ୍ତେ ଏବଂ ସିନେଟରେ ରିପବ୍ଲିକାନ୍‌ ୫୧-୪୯ ବ୍ୟବଧାନରେ ଜିତିଥାନ୍ତେ । ଏଥିପ୍ରତି ଟ୍ରମ୍ପ କୃତଜ୍ଞ ରହିବା କଥା ବୋଲି କହିଥିଲେ ମସ୍କ ।