କନକ ବ୍ୟୁରୋ : ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିପାରେ । ଭାରତୀୟ ସେନାର ପ୍ରସ୍ତୁତି କିଛି ଏଭଳି ଦିଗ ଆଡ଼କୁ ସଂକେତ ଦେଉଛି । ଦିଲ୍ଲୀରେ ଭାରତୀୟ ସେନାର ଶୀର୍ଷ ଅଧିକାରୀଙ୍କ କବାଟକିଳା ବୈଠକ ଦେଖି ପାକିସ୍ତାନ ପାଗଳ ଭଳି ପ୍ରଳାପ କରୁଛି । ଅନ୍ୟପଟେ ପାକିସ୍ତାନକୁ ମୁହଁତୋଡ ଜବାବ ଦେବାକୁ ଭାରତର ଶୀର୍ଷ ନେତୃତ୍ବ ଆସନ୍ତାକାଲି ନେଇପାରନ୍ତି ବଡ ନିଷ୍ପତ୍ତି ।

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସପ୍ତାହେ ବିତିଛି, କିନ୍ତୁ କ୍ଷତ ଏବେ ବି ତାଜା ଅଛି । ଆକ୍ରମଣକାରୀ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନର ପୂର୍ବ ପାରା କମାଣ୍ଡୋ ହାସିମ ମୁସାର ହାତ ଥିବା ପ୍ରମାଣ ପାଇଛି ତଦନ୍ତକାରୀ ସଂସ୍ଥା । ଯାହା ପାକିସ୍ତାନ ପାଇଁ ଏବେ ବିପଦକୁ ଡାକି ଆଣିଛି । ଏହା ଭିତରେ ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଗୃହ ସଚିବଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ବିଏସଏଫ, ଆସାମ ରାଇଫଲ୍ସ, ଏନଏସଜି, ସିଆଇଏସଏଫ, ସିଆରପିଏଫର ମୁଖ୍ୟ ସାମିଲ ହେବା ଭାରତର ବଡ଼ ଆକ୍ସନ ଆଡ଼କୁ ଇଙ୍ଗିତ କରୁଛି । ସର୍ଜିକାଲ ଷ୍ଟ୍ରାଇକ ଠାରୁ ଆହୁରି ବଡ଼ ଅପରେସନ କରିପାରେ ଭାରତ । ଏଥିପାଇଁ ୩ ସେନା ଅତି ଗୁପ୍ତରେ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ।

ଭାରତୀୟ ସେନାର ପ୍ରସ୍ତୁତିକୁ ଦେଖି ପାକିସ୍ତାନ ଛାନିଆ ହୋଇ ପଡିଛି । ସୀମାରେ ଲଗାତାର ଗୁଳିବର୍ଷଣ କରୁଛି ପାକ୍ ସେନା । ଭାରତୀୟ ସେନାର ଆକ୍ସନରୁ ବର୍ତ୍ତିବାକୁ ସିଆଲକୋଟ ସୀମାରେ ରାଡାର ମୁତୟନ କରିଛି ପାକିସ୍ତାନ । ଫିରୋଜପୁରକୁ ଲାଗିଥିବା ଅଞ୍ଚଳରେ ଭାରତୀୟ ସେନାର ଗତିବିଧିକୁ ଜାଣିବା ପାଇଁ ଇଲୋକଟ୍ରୋନିକ ୱାରଫେୟାରକୁ ମୁତୟନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

 ଅନ୍ୟପଟେ ଭାରତୀୟ ସେନାର ପ୍ରସ୍ତୁତିକୁ ଦେଖି ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଚୀନ୍ କୂଟନୀତିଜ୍ଞ ନିଜ ପରିବାରବର୍ଗଙ୍କୁ ପାକିସ୍ତାନରୁ ନିଜ ଦେଶକୁ ପଠାଇଛନ୍ତି । ଏହାସହ ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଛି ଭାରତ । ଆତଙ୍କୀ ସଙ୍ଗଠନକୁ ସମର୍ଥନ ସହ ପାଣ୍ଠି ଯୋଗାଉଥିବା କହି ପାକିସ୍ତାନ ଉପରେ ବର୍ଷିଛି ଭାରତ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ ଓ ରାଜନୀତି ବ୍ୟାପାର ସମ୍ପର୍କିତ କ୍ୟାବିନେଟ ବୈଠକ ବସିବ । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ସାମିଲ ହେବେ । ଏହି ବୈଠକ ଉପରେ ଏବେ ସମସ୍ତଙ୍କର ନଜର ରହିଛି । ସମ୍ଭବତଃ ବୈଠକରେ ଆଲୋଚନା ପରେ ବଡ଼ ନିଷ୍ପତ୍ତି ନେଇପାରେ ଭାରତ ।