କନକ ବ୍ୟୁରୋ : ଉତ୍ତରପ୍ରଦେଶ ବାରଣାସୀରେ ଘଟିଲା ଅଜବ ଘଟଣା । ଅଙ୍ଗନବାଡ଼ି କର୍ମଚାରୀଙ୍କ ଅବହେଳା ଯୋଗୁ ୪୦ ଯୁବତୀଙ୍କୁ ସରକାରୀ ରେକର୍ଡରେ ଗର୍ଭବତୀ ବୋଲି ଦର୍ଶାଇ ଦିଆଗଲା । ଯୁବତୀଙ୍କ ମୋବାଇଲକୁ ଆସିଲା ଗର୍ଭବତୀ ହେବାର ଓ ପିଲାର ରେଜିଷ୍ଟ୍ରେସନ କରିବାର ମେସେଜ । କଥାଟି ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥିବ, କିନ୍ତୁ ଘଟଣାଟି ସତ । ମହିଳାଙ୍କୁ ମେସେଜରେ ଅଭିନନ୍ଦନ ମିଳିବା ସହ ଗର୍ଭବତୀ ମହିଳାଙ୍କୁ ମିଳିବାକୁ ଥିବା ସମସ୍ତ ସୁବିଧା ବିଷୟରେ ତଥ୍ୟ ଦିଆଯାଇଛି । ଯାହା ପରେ ଘଟଣାଟି ସମସ୍ତଙ୍କ ସାମ୍ନାକୁ ଆସିଥିଲା ।
ସୂଚନା ମୁତାବକ, ଘଟଣାଟି ଉତ୍ତରପ୍ରଦେଶ ବାରଣାସୀର ମଲହିୟା ଗ୍ରାମର । ଯେଉଁଠି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ୪୦ ଜଣ ଯୁବତୀଙ୍କୁ ଗର୍ଭବତୀ ବୋଲି ଘୋଷଣା କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ ଯୁବତୀଙ୍କୁ ଏନେଇ ସର୍ବିଶେଷ ତଥ୍ୟ ମଧ୍ୟ ଦିଆଯାଇଛି । ସେମାନଙ୍କର ପୋଷଣ ଟ୍ରେକରରେ ରେଜିଷ୍ଟ୍ରେସନ ହୋଇସାରିଛି ବୋଲି କୁହାଯାଇଛି । ବର୍ତ୍ତମାନ ସେମାନେ ଅଙ୍ଗନବାଡ଼ି କେନ୍ଦ୍ରରୁ ସମସ୍ତ ସୁବିଧା ପାଇପାରିବେ ।
ଗ୍ରାମର ମୁଖିଆ କହିଛନ୍ତି, ସରକାରଙ୍କ ପକ୍ଷରୁ ଆସିଥିବା ଏଭଳି ମେସେଜ ପରେ ଯୁବତୀ ଓ ସେମାନଙ୍କ ପରିବାର ଲୋକ ଆଶ୍ଚର୍ୟ୍ୟଚକିତ ହୋଇପଡ଼ିଲେ । ଏନେଇ ମୁଖ୍ୟ ବିକାଶ ଅଧିକାରୀ(CDO) ଙ୍କୁ ଅଭିଯୋଗ କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ, ଅଙ୍ଗନବାଡ଼ି କର୍ମୀଙ୍କ ଅବହେଳା କାରଣରୁ ଏଭଳି ଘଟଣା ଘଟିଛି । ପ୍ରଶାସନ ପକ୍ଷରୁ ଏହାକୁ ଭୁଲ ଦର୍ଶାଯାଇ ଅଙ୍ଗନବାଡ଼ି କର୍ମୀଙ୍କୁ ନୋଟିସ ଜାରି କରାଯାଇଛି ।