କନକ ବ୍ୟୁରୋ: ଗୋଟିଏ ଲଘୁଚାପ ନଜାଉଣୁ ଆସୁଛି ଆଉ ଏକ ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଖୁବଶୀଘ୍ର ନେବ ଅବପାତର ରୂପ। ଯାହା ପ୍ରଭାବରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ମାତ୍ରା ଅଧିକ ରହିବ ବୋଲି କୁହାଯାଇଛି।

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଇଛି ଲଘୁଚାପ କ୍ଷେତ୍ର ଦୁଇ ଦିନ ଭିତରେ ଏହା ଅଧିକ ଘନୀଭୂତ ହେଇ ଅବପାତର ରୂପ ନେବ । ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ପହଞ୍ଚିବ ଅବପାତ।  ଲଘୁଚାପ ପ୍ରଭାବରେ ଅଗଷ୍ଟ ୩୧ ଯାଏଁ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଲାଗି ରହିବ,ଅଗଷ୍ଟ ୩୦ ପାଇଁ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ,

ଅଗଷ୍ଟ ୩୦ରେ ଗଜପତି,କୋରାପୁଟ,ମାଲକାନଗିରିରେ ରେଡ଼ ଆଲର୍ଟ 
ନବରଙ୍ଗପୁର, ରାୟଗଡା,ଗଞ୍ଜାମ, କଳାହାଣ୍ଡି ପାଇଁ ଅରେଞ୍ଜ ଆଲର୍ଟ
ଅଗଷ୍ଟ ୩୧ରେ ମାଲକାନଗିରି,ନବରଙ୍ଗପୁର,କୋରାପୁଟକୁ ଅରେଞ୍ଜ ଆଲର୍ଟ 

ଆସନ୍ତାକାଲି ୩ ଜିଲ୍ଲା  ଗଜପତି,ମାଲକାନଗିରି, କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ଅଞ୍ଚଳରେ ବର୍ଷା ସମୟରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା, ପାହାଡି ଅଞ୍ଚଳରେ ଭୂସ୍ଖଳନ, ସହରାଞ୍ଚଳରେ କୁତ୍ରିମ ବନ୍ୟା, କଚ୍ଚା ରାସ୍ତା ଘର ଭାଙ୍ଗିବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଏସଆରସିଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ଥିତି ଉପରେ ନଜର ରଖିବାକୁ  ନିର୍ଦେଶ ଦିଆଯାଇଛି । ସେପଟେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ  ରହୁଥିବାରୁ ୩୦ ରୁ  ୧ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ର କୁ ମତ୍ସ୍ୟଜିବୀଙ୍କୁ ଯିବାକୁ ବାରଣ କରାଯାଇଛି। ସମୁଦ୍ରରେ ଥିଲେ ଆସନ୍ତାକାଲି ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି। 

ପ୍ରବଳ ବର୍ଷା ପ୍ରଭାବରେ  ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ସହ ଲୋୟର ମହାନଦୀ ଅବବାହିକାରେ ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେମ୍ବର ୨ ରୁ ବର୍ଷା କମିବ ,ପାଗରେ ପରିବର୍ତ୍ତନ ଆସିବ ।