କନକ ବ୍ୟୁରୋ : ବଡ଼ ମାଓ ବିରୋଧୀ ଅଭିଯାନକୁ ବଡ଼ ସଫଳତା । ଛତିଶଗଡ଼ରେ ଯବାନଙ୍କ ଗୁଳିରେ ବଡ଼ ମାଓନେତା ନମ୍ବାଲା କେଶବ ରାଓ ଓରଫ ବାସବ ରାଜୁଙ୍କ ସମେତ ୨୭ ନକ୍ସଲ ନିପାତ । ବାସବ ରାଜୁଙ୍କ ନାଁରେ ଦେଢ଼କୋଟି ଟଙ୍କାର ପୁରସ୍କାର ଥିଲା । ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଟ୍ୱିଟ୍ କରି ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଛନ୍ତି ।

Advertisment

ଗୁଇନ୍ଦା ଖବର ଥିଲା, ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲ ଅନ୍ତର୍ଗତ ଜାଟଲୁର ଅଞ୍ଚଳରେ ବଡ଼ବଡ଼ ମାଓନେତା ଓ କମାଣ୍ଡର ଏକାଠି ହୋଇଛନ୍ତି । ଛତିଶଗଡ଼ର ନାରାୟଣପୁର ସମେତ ଦାନ୍ତେୱାଡ଼ା ଓ କୋଣ୍ଡାଗାଓଁର ଡିଆରଜି ଯବାନଙ୍କ ପକ୍ଷରୁ ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଦିଆଗଲା । ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏନକାଉଣ୍ଟରରେ ମାଓ ସଂଗଠନର ବଡ଼ନେତା ନମ୍ବାଲା କେଶବ ରାଓ ଓରଫ ବାସବ ରାଜୁଙ୍କ ସମେତ ୨୭ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ନିକଟରୁ ଏକେ-47 ବନ୍ଧୁକ, ଏସଏଲଆର ଆଦି ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ନମ୍ବାଲା କେଶବ ରାଓ ଓରଫ ବାସବରାଜୁ ଓରଫ ଗଗନ୍ନା । ପ୍ରାୟ ୭୦ ବର୍ଷୀୟ ନମ୍ବାଲା କେଶବ ରାଓ ଗତ ୪ ଦଶକ ଧରି ଓଡ଼ିଶା, ଆନ୍ଧ୍ର, ତେଲଙ୍ଗାନା, ଛତିଶଗଡ଼ରେ ଲାଲ୍ ଆତଙ୍କ ଜାରି ରଖିଥିଲେ । ଗତ ୭ ବର୍ଷ ଧରି ସଂଗଠନର ମହାସଚିବ ଭାବେ ୭ଟି ରାଜ୍ୟରେ ସଂଗଠନ ସୁଦୃଢ଼ କରିବାକୁ ଉଦ୍ୟମ କରୁଥିଲେ । ତେବେ ଅବୁଝମାଡ଼ ଜଙ୍ଗଲରେ ଗୁଳିବିନିମୟରେ ବାସବରାଜୁ ଟଳିପଡ଼ି ଥିବା ବେଳେ ଜଣେ ଡିଆରଜି ଯବାନ ସହିଦ ଓ କିଛି ଯବାନ ଆହତ ହୋଇଛନ୍ତି ।

ଯବାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି । ବାସବ ରାଜୁର ମୃତ୍ୟୁରେ ମାଓ ସଂଗଠନର ମେରୁଦଣ୍ଡ ଭାଙ୍ଗି ଯାଇଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ପାଇଁ ଚାଲିଥିବା ଅଭିଯାନରେ ୨୦୨୪ଠାରୁ ଆଜି ସୁଦ୍ଧା ୪୦୦ରୁ ଅଧିକ ମାଓବାଦୀ ନିପାତ ହୋଇଥିବା ବେଳେ ବହୁ ୧୪୦୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।