'ମୁଁ ବଞ୍ଚିବାକୁ ଚାହୁଛି ମା’, କିନ୍ତୁ କାମ ଚାପରେ ଅତିଷ୍ଟ ହୋଇପଡ଼ିଲିଣି'

ବିଏଲଓ ସର୍ବେଶ ସିଂହଙ୍କ ଶେଷ ଭିଡିଓ । ଆତ୍ମହତ୍ୟାର ଦିନକ ପରେ ତାଙ୍କର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । କାହିଁକି ଆତ୍ମହତ୍ୟା କଲେ ? କେମିତି କାମ ଚାପରେ ବଞ୍ଚିବା ତାଙ୍କ ପାଇଁ ମୁସ୍କିଲ ଥିଲା ? ଗୋଟିଗୋଟି କରି ସବୁ କଥା ଏହି ଭିଡିଓରେ କହିଛନ୍ତି  ଅଧିକାରୀ ।

BLO Deaths

BLO Deaths Photograph: (Kanak News)

କନକ ବ୍ୟୁରୋ : ଦେଶରେ ଚାଲିଛି ଏସଆଇଆର ପ୍ରକିୟା । ଏହା ଭିତରେ ବୁଥ ସ୍ତରୀୟ ଅଧିକାରୀ ବା ବିଏଲଓଙ୍କ ବଢୁଥିବା ମୃତ୍ୟୁ ସଂଖ୍ୟା ବଡ ପ୍ରଶ୍ନ ସୃଷ୍ଟି କରିଛି । ୨୭ଦିନରେ ଗଲାଣି ୩୨ଜଣ ବିଏଲଓଙ୍କ ଜୀବନ । ସେପଟେ ଘଟଣାକୁ ବଡ଼ ପ୍ରସଙ୍ଗ କରି ସରକାରଙ୍କୁ ଟାର୍ଗେଟ କରିବାକୁ ଆରମ୍ଭ କଲେଣି ବିରୋଧୀ ।

ବିଏଲଓ ସର୍ବେଶ ସିଂହଙ୍କ ଶେଷ ଭିଡିଓ । ଆତ୍ମହତ୍ୟାର ଦିନକ ପରେ ତାଙ୍କର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । କାହିଁକି ଆତ୍ମହତ୍ୟା କଲେ ? କେମିତି କାମ ଚାପରେ ବଞ୍ଚିବା ତାଙ୍କ ପାଇଁ ମୁସ୍କିଲ ଥିଲା ? ଗୋଟିଗୋଟି କରି ସବୁ କଥା ଏହି ଭିଡିଓରେ କହିଛନ୍ତି  ଅଧିକାରୀ । "ମା’, ରାତି ଦିନ କାମ କରି ଥକିଗଲିଣି । ଏସ୍‌ଆଇଆର୍‌ କାମ ଚାପ ବହୁତ ଅଧିକ ରହିଛି । ଦୁଇ ତିନି ଘଣ୍ଟା ବି ବିଶ୍ରାମ ନେଇପାରୁନି । ନା ଶୋଇପାରୁଛି ନା ଖାଇପାରୁଛି । ମୁଁ ବଞ୍ଚିବାକୁ ଚାହୁଛି ମା’, କିନ୍ତୁ କାମ ଚାପରେ ଅତିଷ୍ଟ ହୋଇପଡ଼ିଲିଣି । ମୁଁ ଗଲା ପରେ ସ୍ତ୍ରୀ ଓ ଛୁଆଙ୍କ ଯତ୍ନ ନେବ । ମୋତେ କ୍ଷମା କରିଦେବ ମା’ ।"  ରବିବାର ସକାଳୁ ଘରୁ ସେ ସର୍ବେଶ ସିଂଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା ।

ଅଧିକ ପଢ଼ନ୍ତୁ : ଭତ୍ତା ଟଙ୍କା ପାଇଁ ଆତ୍ମାହୁତି ?

ସୂଚନା ଅନୁସାରେ ଉତ୍ତରପ୍ରଦେଶ ମୁରାଦାବାଦର ବାସିନ୍ଦା ସର୍ବେଶ ସିଂ । ମା, ପତ୍ନୀ ଓ ୪ ଝିଅଙ୍କ ସହ ରହୁଥିଲେ । ୪୬ବର୍ଷ ବୟସ୍କ ସର୍ବେଶ ଶିକ୍ଷକ ଥିଲେ । ଅକ୍ଟୋବର ୭ରୁ ତାଙ୍କୁ ଏସଆଇଆର କାମର ଦାୟିତ୍ୱ ଦିଆଯାଇଥିଲା । ତେବେ କାମ ଚାପ ଏତେ ବଢ଼ିଗଲା ଯେ ଜୀବନ ହାରିବାକୁ ବାଧ୍ୟ ହୋଇଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ।

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁରେ ୨୭ଦିନରେ ୩୨ ଜଣ ବିଏଲ୍‌ଓଙ୍କ ମୃତ୍ୟୁ ହୋଇସାରିଲାଣି । ଯେଉଁଥିରେ ୫୦% ଆତ୍ମହତ୍ୟା ଓ ୫୦% ପ୍ରାକୃତିକ ମୃତ୍ୟୁ ମାମଲା ରହିଛି । ତେବେ ଅଧିକ ଚାପ ପାଇଁ ବିଏଲଓଙ୍କ ଅକାଳରେ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ତ୍ରୀବ୍ର ହେଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe