କନକ ବ୍ୟୁରୋ : ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟଙ୍କ ବଡ଼ ରାୟ । ୧୯ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ୧୨ ଅଭିଯୁକ୍ତ । ସ୍ୱତନ୍ତ୍ର ଟାଡା କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ହାଇକୋର୍ଟ । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୂର୍ବରୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ୭ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା । ହାଇକୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରି ଜେଲରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୨୦୦୬ ମୁମ୍ବାଇ ସମେତ ପୂରା ଦେଶକୁ ଦୋହଲାଇ ଦେଇଥିବା ଟ୍ରେନ ବିସ୍ଫୋରଣରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ବମ୍ବେ ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚ ବିଚାରପତି ଜଷ୍ଟିସ ଅନୀଲ କିଲୋର ଓ ଜଷ୍ଟିସ ଶ୍ୟାମ ଚନ୍ଦକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି । ରାୟରେ ଖଣ୍ଡପୀଠ କହିଛନ୍ତି ଯେ ଉପଯୁକ୍ତ ପ୍ରମାଣ ଦେବାରେ ସରକାରୀ ଓକିଲ ବିଫଳ ହୋଇଛନ୍ତି । କେବଳ ସନ୍ଦେହ ଛଡ଼ା ସରକାରୀ ଓକଲି କୌଣସି ପ୍ରକାରର ପ୍ରମୁଖ ପ୍ରମାଣ ଉପସ୍ଥାପନ କରିପାରିନାହାନ୍ତି ।
୨୦୦ ୧୧ ଜୁଲାଇ ୬ରେ ମୁମ୍ବାଇ ଲୋକାଲ୍ ଟ୍ରେନ୍ରେ ହୋଇଥିବା ସିରିଜ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟର ଏହି ନିଷ୍ପତ୍ତି ୧୯ ବର୍ଷ ପରେ ଆସିଛି । ୟେରୱାଡା, ନାସିକ, ଅମରାବତୀ ଏବଂ ନାଗପୁର ଜେଲରେ ବନ୍ଦୀ ଥିବା ଅଭିଯୁକ୍ତମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ହାଇକୋର୍ଟ କେବଳ ଦୋଷୀଙ୍କ ଆବେଦନକୁ ଗ୍ରହଣ କରିନଥିଲେ, ବରଂ ମୃତ୍ୟୁଦଣ୍ଡ ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ ।