କନକ ବ୍ୟୁରୋ: କୋଲକାତାର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳିଛି। ପ୍ରାୟ ସବୁ ରାଜନୈତିକ ଦଳ ଏହା ବିରୋଧରେ ବିକ୍ଷୋଭ ପଦର୍ଶନ କରିବା ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏହାରି ଭିତରେ ଆମ ଦେଶରେ ସାଂସଦ ଏବଂ ବିଧାୟକମାନଙ୍କ ବିରୋଧିରେ ଥିବା ମହିଳା ବିରୋଧୀ ଅପରାଧିକ ମାମଲା ସାମ୍ନାକୁ ଆସିଛି। ୧୫୧ ଜଣ ସାଂସଦ ଏବଂ ବିଧାୟକ ବିରୋଧରେ ମହିଳା ଅପରାଧ ମାମଲା ଥିବା ବେଳେ ୧୬ ଜଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଏଡିଆର ରିପୋର୍ଟରୁ ଜଣାପଡିଛି।

Advertisment

ରାଜନେତାଙ୍କ କଳା କାରନାମା
ସବୁଠୁ ଆଗରେ ପଶ୍ଚିମବଙ୍ଗ
କୋଲକତାରେ ଡାକ୍ତରଙ୍କୁ ଦୁସ୍କର୍ମ ପରେ ହତ୍ୟା ଘଟଣାକୁ ସବୁ ରାଜନୈତିକ ଦଳ ନିନ୍ଦା କରୁଛନ୍ତି। ଘଟଣାକୁ ନେଇ ରାଜନୀତିବି ଆରମ୍ଭ ହୋଇଛି। ଏହାରି ଭିତରେ ଆମ ଦେଶର ବିଧାୟକ ଓ ସାଂସଦଙ୍କ ବିରୋଧରେ ଥିବା ମହିଳା ବିରୋଧୀ ଅପରାଧ ସାମ୍ନାକୁ ଆସିଛି। ଦେଶରେ ୧୫୧ ଜଣ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧଜନିତ ମାମଲାରେ ଜଡିତ ଅଛନ୍ତି। ଏସମ୍ପର୍କରେ ସେମାନେ ସେମାନଙ୍କର ନିର୍ବାଚନୀ ସତ୍ୟପାଠରେ ଘୋଷଣା କରିଥିବା ଏଡିଆର ରିପୋର୍ଟ ପ୍ରକାଶ କରିଛି। ନେତାଙ୍କ ବିରୋଧରେ ନିର୍ଯାତନା, ଯୌନ ଶୋଷଣ, ଦୁଷ୍କର୍ମ ଭଳି ସଙ୍ଗୀନ ମମଲା ରହିଛି। ସବୁଠୁ ବଡ଼ କଥା ହେଉଛି ଏହି ତାଲିକାରେ ଶୀର୍ଷରେ ରହିଛି ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗର ୨୫ଜଣ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଏଭଳି ମାମଲା ରହିଛି।

ମହିଳା ବିରୋଧୀ ଅପରାଧ ତାଲିକାରେ ଦଳ ଭିତରେ ବିଜେପି ପ୍ରଥମରେ ଥିବା ବେଳେ କଂଗ୍ରେସ ଦ୍ୱିତୀୟ ଓ ଟିଡିପି ତୃତୀୟରେ ରହିଛି। ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ନିର୍ବାଚନ ସମୟରେ ସାଂସଦମାନେ ଦେଇଥିବା ୪,୬୯୩ ଆଫିଡେଭିଟର ତଥ୍ୟ ଅନୁସାରେ ଏଡିଆର ଏହି ରିପୋର୍ଟ ପ୍ରକାଶ କରିଛି।

ଏଡିଆର ରିପୋର୍ଟରୁ ବିଜେପି ସାଂସଦ ଏବଂ ବିଧାୟକମାନଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲାରେ ଅଧିକ ଜଣାପଡିଛି। ବିଜେପି ୫୪, କଂଗ୍ରେସର ୨୩, ଟିଡିପି ୧୭ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ମହିଳା ଅପରାଧ ମମଲା ରହିଛି। ରାଜ୍ୟ ତାଲିକାରେ ପଶ୍ଚିମବଙ୍ଗ ଆଗରେ ଥିବା ବେଳେ ଦ୍ବିତୀୟରେ ଅଛି ଆନ୍ଧ୍ର ପ୍ରଦେଶ। ଆନ୍ଧ୍ରପ୍ରଦେଶର ୨୧ ଏବଂ ଓଡିଶାରେ ୧୭ ଜଣଙ୍କ ବିରୋଧରେ ମହିଳା ଅପରାଧ ଅଭିଯୋଗ ରହିଛି। ୨ ଜଣ ସାଂସଦ ଏବଂ ୧୪ ଜଣ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରହିଛି।  ବିଜେପି ଓ କଂଗ୍ରେସ ୫ ଜଣେ ଲେଖାଏଁ ସାଂସଦଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରହିଛି। କେତେକ ମାମଲାରେ କୋଲକାତା ଭଳି ପୀଡିତାଙ୍କୁ ବାରମ୍ବାର ଆକ୍ରମଣ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

ନେତାଙ୍କ ଗୁମର ଖୋଲିବା ପରେ ଏଡିଆର ରାଜନୈତିକ ଦଳମାନଙ୍କୁ ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କୁ ପ୍ରାର୍ଥୀ ନକରିବାକୁ ନିବେଦନ କରିଛି । ଏଥିସହ ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିବା ପ୍ରାର୍ଥୀଙ୍କୁ ଭୋଟ୍ ନ ଦେବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରାଯାଇଛି।