କନକ ବ୍ୟୁରୋ: ପର୍ତ୍ତୁଗାଲର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ କିଏ ବା ନଜାଣେ । ପଡିଆ ମଝିରେ ନିଜ ଦକ୍ଷତା ଦେଖାଇ ସେ ଫୁଟବଲରେ ଅନେକ ରେକର୍ଡ ଭାଙ୍ଗିଛନ୍ତି । ହେଲେ ଏବେ ସେ ଆଉ ଏକ ରେକର୍ଡ କରିଛନ୍ତି, ଏହା କିନ୍ତୁ ଫୁଟବଲ ନୁହେଁ ବରଂ ଡିଜିଟାଲ ପ୍ଲାଟଫର୍ମରେ । ରୋନାଲ୍ଡୋ ନିକଟରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ । ଯାହାର ସୂଚନା ସେ ସୋସିଆଲମିଡିଆ ମାଧ୍ୟମରେ ଦେଇଥିଲେ । ଆଉ ଚ୍ୟାନେଲ ଖୋଲିବା ପରେ ଦ୍ରୁତତମ ୧ ମିଲିୟନର ରେକର୍ଡ ସେ କାଟି ଦେଇଛନ୍ତି । 

Advertisment

ୟୁଟ୍ୟୁବ ଚ୍ୟାନେଲ ଖୋଲିବାର ମାତ୍ର ୯୦ ମିନିଟ ମଧ୍ୟରେ ସେ ୧ ମିଲିୟନ ସବସ୍କ୍ରାଇବର ହାସଲ କରିଦେଇଥିଲେ । ବର୍ତ୍ତମାନ ରୋନାଲ୍ଡୋଙ୍କ ସସକ୍ରାଇବର ୧୮ ମିଲିୟନରୁ ଅଧିକା ହୋଇସାରିଲାଣି । ସେହିପରି ମାତ୍ର ୧୨ ଘଣ୍ଟାରେ ତାଙ୍କୁ ୟୁଟ୍ୟୁବ ତରଫରୁ ଗୋଲ୍ଡେନ ବଟନ ପ୍ରଦାନ କରାଯାଇଛି । ୟୁଟ୍ୟୁବରେ ଏହା ଏକ ବିରଳ ରେକର୍ଡ । କାରଣ ଏଭଳି  କେବେ କୌଣସି ୟୁଟ୍ୟୁବର କରିନଥିଲେ । 

କେବଳ ୟୁଟ୍ୟୁବ ନୁହେଁ ସୋସିଆଲ ମିଡିଆର ଅନ୍ୟ ପ୍ଲାଟଫର୍ମରେ ମଧ୍ୟ କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଜବରଦସ୍ତ ଫଲୋଅର୍ସ ରହିଛନ୍ତି । ରୋନାଲ୍ଡୋଙ୍କର ଟ୍ୱିଟରରେ ୧୧୨.୫ ମିଲିୟନ ଫଲୋଅର୍ସ, ଫେସବୁକରେ ୧୭୦ ମିଲିୟନ ଫଲୋଅର୍ସ ଆଉ ଇନଷ୍ଟାଗ୍ରାମରେ ୬୩୬ ମିଲିୟନ ଫଲୋଅର୍ସ ରହିଛନ୍ତି । ଫେସବୁକ ଓ ଇନଷ୍ଟାରେ ତାଙ୍କର ସର୍ବାଧିକ ଫଲୋଅର୍ସ ରହିଥିବା ବେଳେ ଏକ୍ସ ପ୍ଲାଟଫର୍ମରେ ସେ ୩ ନମ୍ବର ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ୟୁଟ୍ୟୁବରେ ସେ ଆଉ ଏକ ରେକର୍ଡ କରିବା ଦିଗରେ ଆଗେଇ ଚାଲିଛନ୍ତି । 

କ୍ରିଷ୍ଟିଆନ ରୋନାଲ୍ଡୋ ଦୁନିଆର ସବୁଠାରୁ ଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରେ ଜଣେ । ସେ ବର୍ତ୍ତମାନ ଅଲ ନାସର କ୍ଲବ ତରଫରୁ ସାଉଦି ପ୍ରୋ ଲିଗରେ ଖେଳୁଛନ୍ତି । ସେହିପରି ନିକଟରେ ୟୁରୋ କପ ୨୦୨୪ରେ ସେ ପର୍ତ୍ତୁଗାଲ ତରଫରୁ ଖେଳୁଥିବାର ନଜର ଆସିଥିଲେ । ରୋନାଲ୍ଡୋ ଫୁଟବଲରେ ସର୍ବାଧିକ ଗୋଲ କରିଥିବା ଖେଳାଳି । ହେଲେ ନିଜ ଟିମକୁ ଆଜି ଯାଏଁ ବିଶ୍ୱକପ୍ ଜିତାଇପାରିନାହାନ୍ତି । ୩୯ ବର୍ଷରେ ପହଞ୍ଚିଥିବା ଏହି ଖେଳାଳି ନିଜ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛନ୍ତି । ହେଲେ ତାଙ୍କ ଫିଟନେସ ଏବେ ବି ଜବରଦସ୍ତ ରହିଛି । 

ଫୋବର୍ସ ରିପୋର୍ଟ ଅନୁସାରେ ଲୋନାଲ୍ଡୋଙ୍କ ନେଟ୍ ୱର୍ଥ ୨୬୦ ମିଲିୟନ ଡଲାର । ସେ ଦୁନିଆର ସବୁଠାରୁ ଅଧିକ ରୋଜଗାର କରୁଥିବା ଖେଳାଳି । ସେ ୧ ବିଲିୟନରୁ ଅଧିକ ଟଙ୍କା ରୋଜଗାର କରୁଥିବା ପ୍ରଥମ ଫୁଟବଲ ଖେଳାଳି । ଫୁଟବଲ ବ୍ୟତୀତ ରୋନାଲ୍ଡୋଙ୍କ ନିଜସ୍ୱ ବ୍ୟବସାୟ ମଧ୍ୟ ରହିଛି । ଫ୍ୟାସନ ଲାଇଫ ଷ୍ଟାଇଲ ବ୍ୟତୀତ ସେ ସିଆର ୭ ନାମରେ ଏକ ହୋଟେଲ ଚେନ ଚଲାଉଛନ୍ତି । ସେହିପରି ତାଙ୍କର ହୋଟେଲ ମଦିରାରେ ତାଙ୍କର ଏକ ମ୍ୟୁଜିୟମ ରହିଛି ଯେଉଁଥିରେ ସେ ସର୍ବାଧିକ ରୋଜଗାର କରନ୍ତି । ସେହିପରି ସୋସିଆଲମିଡିଆରେ ବି ସେ ସର୍ବାଧିକ ରୋଜଗାର କରୁଥିବା ଖେଳାଳି । ଯଦି ୟୁଟ୍ୟୁବରେ ଏହି ଭଳି ଭାବେ ତାଙ୍କ ଫଲୋଅର୍ସ ବଢିଚାଲେ ତେବେ ସେ ୟୁଟ୍ୟୁବରେ ସର୍ବାଧିକ ଫଲୋଅର୍ସ ମିଷ୍ଟର ବିଷ୍ଟଙ୍କୁ ବି ପଛରେ ପକାଇପାରନ୍ତି ।