ଆଜି ବିଶ୍ୱ ଏଡ୍‌ସ ଦିବସ: ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଗଞ୍ଜାମରେ, ଜିଲ୍ଲାରେ ୧୬,୫୧୫ ଏଡସ୍ ରୋଗୀ

138

କନକ ବ୍ୟୁରୋ: କରୋନାର ଭୟାବହତା କମି ନାହିଁ। ଏବେ ବି ସଂକ୍ରମଣ ଭୟ ଘାରିଛି। ପ୍ରତିଷେଧକ ବ୍ୟବସ୍ଥା ନ ବାହାରିବା ପର୍ଯ୍ୟନ୍ତ ଏହି ରୋଗର ନିରାକରଣ ଅସମ୍ଭବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ସବୁଠାରୁ ଅଧିକ ସମସ୍ୟା ଭିତରେ ଛନ୍ଦି ହୋଇଛନ୍ତି ଏଚ୍‌ଆଇଭି ସଂକ୍ରମିତ। ଗୋଟିଏ ପଟେ ସାମାଜିକ ବ୍ୟାଧି ସାଙ୍ଗକୁ ଅନ୍ୟପଟେ କୋଭିଡ୍‌ କଟକଣା ସେମାନଙ୍କ ପାଇଁ କାଳ ହୋଇଛି। ଏପରିକି କୋଭିଡ୍‌ ଯୋଗୁଁ ସଚେତନତା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ପୁଣି ଏଡ୍‌ସ ଉପରମୁହାଁ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏବେଠାରୁ ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଚ୍‌ଆଇଭି ଆକ୍ରାନ୍ତ ରୋଗୀ ରହିଛନ୍ତି। ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ୧ନମ୍ବର ସ୍ଥାନରେ ରହିଛି। ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୧୬ହଜାର ୫୧୫ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲା ଏଡ୍‌ସ ସେଲ୍‌ ସୂତ୍ରରୁ ପ୍ରକାଶ। ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ଏଡ୍‌ସ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଏଡ୍‌ସ ସମ୍ପର୍କରେ ଲୋକଙ୍କୁ ବିଭିନ୍ନ ପ୍ରକାର ବିଜ୍ଞାପନ, ହୋର୍ଡି˚, ଗଣମାଧ୍ୟମ ଜରିଆରେ ସଚେତନ କରାଯାଉଛି। ସେହିପରି ପ୍ରତିବର୍ଷ ଏଡ୍‌ସ ଦିବସରେ ରାଲି, ସଭା ଆୟୋଜନ କରି ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଚଳିତ ବର୍ଷ କୋଭିଡ୍‌ ଯୋଗୁଁ ଏଭଳି କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହୋଇଛି। ଏପରିକି ବିଭିନ୍ନ ଦୁର୍ଗମ ଇଲାକାରୁ ଏଚ୍ଆଇଭି ଆକ୍ରାନ୍ତ ଔଷଧ ନେବା ପାଇଁ ଡାକ୍ତରଖାନାକୁ ଆସିପାରି ନାହାନ୍ତି। ଫଳରେ ବହୁ ରୋଗୀ ଔଷଧ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଗତ ୨୦୦୦ରୁ ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ୧୩ଲକ୍ଷ ୯୬ହଜାର ୧୯୯ଜଣଙ୍କୁ କାଉନ୍‌ସେଲି˚ କରାଯାଇ ୧୨ଲକ୍ଷ ୩୭ହଜାର ୩୩୭ଜଣଙ୍କ ଏଚ୍‌ଆଇଭି ପରୀକ୍ଷା କରାଯାଇଛି। ତନ୍ମଧୢରୁ ମୋଟ ୧୬ହଜାର ୫୧୫ଜଣଙ୍କ ରକ୍ତ ନମୁନା ଏଚ୍‌ଆଇଭି ପଜିଟିଭ୍‌ ଆସିଥିବା ଏଡ୍‌ସ ସେଲ୍‌ ତରଫରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଜିଲ୍ଲାରେ ୩୦ ଗର୍ଭବତୀ ଏଡ୍‌ସ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ମୋଟ ପଜିଟିଭ୍‌ ସ˚ଖ୍ୟା ୯୨୯ ରହିଛି।

ଗଞ୍ଜାମ ଜିଲ୍ଲାର ୧୭ଟି ବ୍ଲକରେ ଏଡ୍‌ସ ରୋଗୀଙ୍କ ସ˚ଖ୍ୟା ୫ଶହରୁ ଅଧିକ ରହିଛି। ପୋଲସରା ବ୍ଲକରେ ଚଳିତ ୨୦୨୦ ଅକ୍ଟୋବର ମାସ ସୁଦ୍ଧା ସର୍ବାଧିକ ୧୨ଶହ ୪୫ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆସିକାରେ ୧୧୪୩, ବେଗୁନିଆପଡ଼ାରେ ୧୧୨୨, ପୁରୁଷୋତ୍ତମପୁରରେ ୧୦୫୯, ଖଲ୍ଲିକୋଟରେ ୮୮୨, ହି˚ଜିଳିକାଟୁରେ ୭୯୬, କବିସୂର୍ଯ୍ୟନଗରରେ ୭୫୩, ବେଲଗୁଣ୍ଠାରେ ୬୯୯, ଶେରଗଡ଼ରେ ୬୬୫, ଭ˚ଜନଗରରେ ୫୯୩, ର˚ଗେଇଲୁଣ୍ତାରେ ୫୮୪, ବୁଗୁଡ଼ାରେ ୫୪୫, ଛତ୍ରପୁରରେ ୫୪୨, ଦିଗପହଣ୍ଡରେ ୫୪୮, ଧରାକୋଟରେ ୫୧୨, ସାନଖେମୁଣ୍ଡିରେ ୫୩୫ ଜଣ ରୋଗୀ ଓ ବ୍ରହ୍ମପୁର ମହାନଗରରେ ୮୭୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।