ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଶ୍ରମିକଙ୍କୁ ହତ୍ୟା : ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ

97

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ଶ୍ରମିକଙ୍କୁ ହତ୍ୟା । ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଜଣଙ୍କୁ ଛୁରି ଭୁସି ହତ୍ୟା କରାଗଲା । ପୋଲିସର ସୂଚନା ଅନୁସାରେ, ମୟୂରଭଂଜ ଜିଲ୍ଲା ଉଦଳାଅଂଚଳର ଗୁଜୁରାମ ସିଂହ । ଗତ କିଛିଦିନ ହେଲା ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ପାଚେରୀ କାମ କରୁଥିଲେ ଗୁଜୁରାମ ।

ସୂଚନାନୁସାରେ, ନିର୍ମାଣାଧୀନ କୋଠାରେ ଗୁଜୁରଙ୍କୁ କେହି ହତ୍ୟା କରିଛି ବୋଲି ଖବର ମିଳିବା ପରେ ପୁଲିସ ସେଠାରେ ପହଞ୍ଚିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗୁଜୁରଙ୍କ ରକ୍ତାକ୍ତ ମୃତଦେହ ପଡ଼ି ରହିଥିଲା । ତାଙ୍କ ଗଳାକୁ କେହି କୌଣସି ଧରୁଆ ଅସ୍ତ୍ରରେ କାଟି ଦେଇଥିବା ଜଣାପଡ଼ିଥିଲା । ନିକଟରେ ମଦ ବୋତଲ ଓ ବିଭିନ୍ନ ଖାଦ୍ୟ ପୁଡ଼ିଆ ପଡ଼ିଥିଲା । ପଚରାଉଚରା ପରେ ଅନ୍ୟ ଶ୍ରମିକମାନେ ଗୁଜୁରଙ୍କ ସହ ମଦ ପିଉଥିବା ଜଣେ ଶ୍ରମିକର ନାଁ ନେଇଥିଲେ । କିନ୍ତୁ ତାକୁ ପୁଲିସ ଖୋଜିଲା ବେଳକୁ ସେ ଫେରାର୍ ହୋଇଯାଇଥିଲା ।

ହତ୍ୟାକାଣ୍ଡ ପରେ ଫେରାର୍ ହୋଇଯାଇଥିବା ଉକ୍ତ ଶ୍ରମିକ ଆଜି ସକାଳେ ଏକ ପରିବା କଟା ଛୁରି କିଣିଥିବା ଅନ୍ୟ ଶ୍ରମିକମାନେ ପୁଲିସକୁ ଜଣାଇଥିଲେ । ତେଣୁ ସେ ଗୁଜୁରକୁ ହତ୍ୟା କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଓ ସେଥିପାଇଁ ଯୋଜନା କରିଥିଲା ବୋଲି ଜଣାପଡ଼ିଛି ।  ପୁଲିସ ହତ୍ୟା ଅଭିଯୁକ୍ତ ଶ୍ରମିକକୁ ଧରିବା ପାଇଁ ରେଳଷ୍ଟେସନ ଓ ବସ୍‌ଷ୍ଟାଣ୍ଡ ଭଳି ସ୍ଥାନରେ ଚଢ଼ଉ ଜାରି ରଖିଛି ।