ସୁରକ୍ଷା ନେଇ ନୂଆ ଆଇନ୍: ସଂଧ୍ୟା ୭ରୁ ସକାଳ ୬ଟା ପୂର୍ବରୁ ମହିଳା କର୍ମଚାରୀଙ୍କୁ ଖଟାଇ ପାରିବେନି କଂପାନୀ, ନାଇଟ୍ ସିଫ୍ଟ ଦେବା ପୂର୍ବରୁ ନେବାକୁ ହେବ ଅନୁମତି

200

ମହିଳା କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ସଂଧ୍ୟା ୭ଟା ପରେ ଅଫିସରେ ମହିଳା କର୍ମଚାରୀଙ୍କୁ ଖଟାଇପାରିବେନି ମାଲିକ । ଏଥି ସହିତ ମହିଳାଙ୍କ ପାଇଁ କାମ କରିବାର ସମୟ ସକାଳ ୬ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ରହିବ । ଯଦି ସଂଧ୍ୟା ୭ଟା ପରେ କୌଣସି ବି ମହିଳା କର୍ମଚାରୀ କାମ କରୁଥିବାର ନଜର ଆସନ୍ତି ତେବେ ତାଙ୍କର ସୁରକ୍ଷା ଦାୟିତ୍ୱ ନିଯୁକ୍ତିକର୍ତ୍ତାଙ୍କୁ ହିଁ ବହନ କରିବାକୁ ପଡିବ । ଖାଲି ସେତିକି ନୁହେଁ ଯଦି ବି କୌଣସି କଂପାନୀ ମହିଳା କର୍ମଚାରୀଙ୍କୁ ନାଇଟ୍ ସିଫ୍ଟ ଡ୍ୟୁଟି ଦିଅନ୍ତି ତେବେ ଏପରି କରିବା ପୂର୍ବରୁ ପ୍ରଥମେ ଉକ୍ତ ମହିଳା କର୍ମଚାରୀଙ୍କର ସହମତି ମଧ୍ୟ ଲୋଡିବାକୁ ପଡିବ ।

ସୂଚନା ମୁତାବକ, ଲୋକସଭାରେ ଉପସ୍ଥାପନା କରାଯାଇଛି ବ୍ୟବସାୟୀକ ସୁରକ୍ଷା. ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟସ୍ଥିତି ସଂହିତା ବିଧେୟକ-୨୦୧୯ (Business Security, Health and Work Status Code Bill) । ଏହି ବିଲ୍ ଲାଗୁ ହେବା ଦ୍ୱାରା ମହିଳାଙ୍କୁ ନାଇଟ୍ ସିଫ୍ଟରେ ଡ୍ୟୁଟି ଦେବା ପୂର୍ବରୁ ପ୍ରଥମେ କଂପାନୀକୁ ତାଙ୍କର ସହମତି ନେବା ବାଧ୍ୟତାମୂଳକ ହେବ ।

ନିର୍ଧାରିତ ପ୍ରତିଷ୍ଠାନଗୁଡିକ ମାମଲାରେ ସରକାରଙ୍କ ଦ୍ୱାରା ସୁରକ୍ଷା, ଅବକାଶ, କାମ କରିବାର ସମୟ କିମ୍ବା ଅନ୍ୟ କୌଣସି ସର୍ତ୍ତ ଅଧିନରେ ମହିଳାଙ୍କୁ ସଂଧ୍ୟା ୭ଟା ପରେ ସକାଳ ୬ଟା ପୂର୍ବରୁ କାମ କରିବା ପାଇଁ ଅନୁମତି ନେବାକୁ ହେବ । ମହିଳା କର୍ମଚାରୀଙ୍କ ସହମତି କ୍ରମେ ତାଙ୍କୁ ନାଇଟ୍ ସିଫ୍ଟ ରେ କାମ କରିବା ପାଇଁ କଂପାନୀ ତଥା ମାଲିକ ନିୟୋଜିତ କରିପାରିବେ । ଏଥି ସହିତ ହିଁ ଉକ୍ତ ମହିଳା କର୍ମଚାରୀଙ୍କ ପୂରା ସୁରକ୍ଷା କଥା ମଧ୍ୟ କଂପାନୀକୁ ବୁଝିବାକୁ ପଡିବ ।