କନକ ବ୍ୟୁରୋ : କ୍ରୀଷନ କୁମାର ଡେପୁଟେସନରେ ଯିବାକୁ ଅନୁମତି ପାଇବା ପରେ ବୀରବିକ୍ରମ ଯାଦବଙ୍କୁ ପୂର୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହି ଅଧିକାରୀଙ୍କ ନିକଟରେ ଏବେ ୫ଟି ବିଭାଗ ରହିଲା । ଖାଲି ଏହି ଅଧିକାରୀ ନୁହନ୍ତି ପ୍ରଶାସନିକ ସ୍ତରରେ ଅନେକ ଅଫିସର ଏମିତି ଅଛନ୍ତି, ଯେଉଁମାନଙ୍କ ନିକଟରେ ଏକାଧିକ ବିଭାଗ ରହିଛି । ଅଫିସର ନଥିବାରୁ ଏଭଳି ଅଡୁଆ ସୃଷ୍ଟି ହୋଇଛି ନା ଆନୁଗତ୍ୟ ଆଧାରରେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଅନୁକମ୍ପା ଦେଖାଯାଉଛି ।

Advertisment

ବାବୁଙ୍କ ଉପରେ ବଢୁଛି ଚାପ । ଅଧିକାରୀ ଏକ, ବିଭାଗ ଅନେକ । ଆଇଏଏସ କ୍ରୀଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ତାଙ୍କ ସ୍ଥାନରେ ଯୋଗାଣ ସଚିବ ବୀର ବିକ୍ରମ ଯାଦବଙ୍କୁ ପୂର୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ପୂର୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ପରେ ଏହି ଅଧିକାରୀଙ୍କ ଉପରେ ବିଭାଗର ଭାର ବଢିଯାଇଛି । କାରଣ, ପୂର୍ବରୁ ପାଞ୍ଚ ପାଞ୍ଚଟି ବିଭାଗର ଦାୟିତ୍ୱ ସେ ତୁଲାଉଛନ୍ତି । ପୂର୍ତ ବିଭାଗ ବାଦ୍ ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ, ସମବାୟ ବିଭାଗ, ରାଜ୍ୟ ପନ୍ୟାଗାର ନିଗମ ଅଧ୍ୟକ୍ଷ, ରାଜ୍ୟ ପଛୁଆ ବର୍ଗ କମିଶନର ସଦସ୍ୟ ସଚିବ ଦାୟିତ୍ୱ ତୁଲାଉଛନ୍ତି ଏହି ଅଧିକାରୀ ।

ପୂର୍ବରୁ ଏକାଧିକ ଦାୟିତ୍ୱକୁ ନେଇ ଭାରାକ୍ରାନ୍ତ ହୋଇଥିବା ମର୍ମରେ ଆଇଏଏସ ଶାସ୍ୱତ ମିଶ୍ର ଲେଖିଥିବା ଚିଠି ବେଶ ଚର୍ଚ୍ଚା ସାଉଁଟିଥିଲା । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସହ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଏହି ଅଧିକାରୀ, ସ୍ପଷ୍ଟ ଭାବେ ଅତିରିକ୍ତ ଦାୟିତ୍ୱକୁ ନେଇ ଅସନ୍ତୋଷ ଜାହିର କରିଥିଲେ । ଯାହା ଦର୍ଶାଉଥିଲା, ରାଜ୍ୟରେ ଅଧିକାରୀଙ୍କ ମଧ୍ୟରେ ବିଭାଗ ବଣ୍ଟନରେ ଏକ ଅସମତା ରହିଛି ।

ନଜର ପକାନ୍ତୁ କେଉଁ ଅଧିକାରୀଙ୍କ ପାଖରେ କେତେ ବିଭାଗ ରହିଛି ।
ପ୍ରଦୀପ ଜେନା : ବର୍ତ୍ତମାନ ଉନ୍ନୟନ କମିଶନର ଭାବେ ଦାୟିତ୍ୱରେ ଅଛନ୍ତି । ଏହାସହ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ୱ ବି ତାଙ୍କ ନିକଟରେ ।
ବିଷ୍ଣୁ ସେଠୀ : ଗଣଶିକ୍ଷା, ପରିବହନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱରେ
ହେମନ୍ତ ଶର୍ମା : ଶିଳ୍ପ, ଇଡକୋ ଓ ଇପିକଲ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ତାଙ୍କ ନିକଟରେ
ଅନୁ ଗର୍ଗ : ଜଳ ସଂପଦ ଓ ମହିଳା ଶିଶୁ ବିକାଶ ବିଭାଗର ଦାୟିତ୍ୱରେ
ଜି ମାଥିଭାଥନନ୍ : ଦୀର୍ଘ ବର୍ଷ ହେଲା ଗୋଟିଏ ବିଭାଗରେ ଗାଦି ମାଡି ବସିଛନ୍ତି । ନଗର ଉନ୍ନୟନ ବିଭାଗ ଓ ସଂସଦୀୟ ବିଭାଗ ତାଙ୍କ ହାତରେ ରହିଛି ।

ସରକାରୀ ଅଧିକାରୀଙ୍କୁ ମିଳୁଥିବା ଏକାଧିକ ଦାୟିତ୍ୱ ପଛର ଆଧାର କଣ, ତାକୁ ନେଇ ଚର୍ଚ୍ଚା । କାରଣ, ଜଣେ ଜଣେ ଅଧିକାରୀ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା ବେଳେ କିଛି ବାବୁଙ୍କ ନିକଟରେ ଅଭିଜ୍ଞତା ତୁଳନାରେ ଅପେକ୍ଷାକୃତ କମ ଗୁରୁତ୍ୱ ବହନ କରୁଥିବା ବିଭାଗ ରହିଛି । ଦକ୍ଷତା ନା ଅନୁଗତ୍ୟ, କେଉଁ ଦିଗକୁ ମିଳୁଛି ଗୁରୁତ୍ୱ?

ରାଜ୍ୟରେ ଧାର୍ଯ୍ୟ ପଦବୀ ସଂଖ୍ୟା ତୁଳନାରେ ପ୍ରାୟ ୮୦ ପଦବୀ ଖାଲି ରହୁଛି । ଅର୍ଥାତ୍ ଆବଶ୍ୟକତା ମୁତାବକ ଆଇଏଏସ ରାଜ୍ୟରେ ନାହାନ୍ତି । ତେଣୁ ଏହି ସମସ୍ୟା ଉପୁଜିଥିବା ନେଇ ଯଦିଓ କିଛି ବ୍ୟକ୍ତିବିଶେଷ ଯୁକ୍ତି ରଖୁଛନ୍ତି, ହେଲେ ବାସ୍ତବିକ ଦିଗ ଅଲଗା ଥିବା ଚର୍ଚ୍ଚା ହେଉଛି ।