କନକ ବ୍ୟୁରୋ : କର୍ମ ହିଁ ଭଗବାନ । ଏକଥା ଆମେ ସମସ୍ତେ କହିଥାଉ । ହେଲେ କେମିତି କିଛି ବାହାନା କରି ବାରମ୍ବାର ନିଜ ମୁଣ୍ଡ ଉପରେ ଥିବା ଦାୟୀତ୍ୱକୁ ହଟାଇବାକୁ ଚେଷ୍ଟା କରିଥାଉ । ସେ ନିଜର କର୍ମସ୍ଥଳୀ ହେଉ କି ଘରର କୌଣସି ଦାୟୀତ୍ୱ ହେଉ । କିଛି ତ ବାହାନା କରି ଆମେ ଏଥିରୁ ମୁକୁଳିବାକୁ ଚେଷ୍ଟା କରିଥାଉ । ହେଲେଆମେ ଏବେ ଆପଣଙ୍କୁ ଯାହାଙ୍କ ବାବଦରେ କହିବାକୁ ଯାଉଛୁ ସେ ଜଣେ ଏମିତି କର୍ମଚାରୀ ଯେ କି ନିଜର ୧୪ ଦିନର ପିଲାକୁ ଧରି କାମରେ ଯୋଗ ଦେଇଛନ୍ତି । ଆମେ କହୁଛୂୁ ମୋଦୀନଗର ଉପ- ବିଭାଗର ମାଜିଷ୍ଟ୍ରେଟ୍ ସୌମ୍ୟା ପାଣ୍ଡେଙ୍କ କଥା । ଯେକି ପିଲା ଜନ୍ମକରିବାର ୧୫ ଦିନ ମଧ୍ୟରେ ଶିଶୁଟିକୁ ଧରି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏନେଇ ସେ ଏକ ଫଟୋ ସୋସିଆଲ ମିଡିଆରେ ଛାଡିଛନ୍ତି ଯାହାକି ଏବେ ବେସ୍ ଭାଇରାଲ ହେବାରେ ଲାଗଛି ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୌମ୍ୟା କହିଛନ୍ତି କି ମୁଁ ସାଧାରଣ ଲୋକଙ୍କ କର ଟଙ୍କାରେ ଦରମା ନେଉଥିବା ଜଣେ କର୍ମଚାରୀ । ତେଣୁ ମୋତେ ମୋ କାର୍ଯ୍ୟ ସୂଚାରୁରୂୁପେ କରିବାକୁ ପଡିବ । କୋଭିଡ ମାହାମାରୀ ପାଇଁ ସରକାର ତାଙ୍କୁ ଗାଜିଆବାଦର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦେଇଛନ୍ତି । ତେଣୁ ଏଭଳି ମହାମାରୀ ସମୟରେ ନିଜପ୍ରତି ଯତ୍ନ ନେବା ଠାରୁ ଲୋକଙ୍କ ସେବାକୁ ସେ ପ୍ରାଧାନ୍ୟ ଦେଇଛନ୍ତି ।
ଏହା ସହ ସେ କହିଛନ୍ତି କି ସମସ୍ତ ମହିଳା ମାନଙ୍କୁ ପିଲା ଜନ୍ମ କରିବା ଓ ସେମାନଙ୍କର ଯତ୍ନ ନେବାର ଶକ୍ତି ଭଗବାନ ଦେଇଛନ୍ତି । ଗ୍ରାମୀଣ ଭାରତର ମହିଳା ମାନେ ଯେତେବେଳେ ପେଟରେ ପିଲା ରଖି ସମସ୍ତ କାର୍ଯ୍ୟ କରିପାରୁଛନ୍ତି ତାହେଲେ ମୁଁ ପିଲା ଜନ୍ମ କରିବା ପରେ କାହିଁକି ନିଜର କାମ କରିପାରିବି ନାହିଁ ବୋଲି ସେ କହିଛନ୍ତି । ଏହା ସହ ସେ କହିଛନ୍ତି କି ଭଗବାନଙ୍କ ଦୟାରୁ ସେ ଓ ତାଙ୍କର ୧୫ ଦିନର ଶିଶୁକନ୍ୟା ସମ୍ପୁର୍ଣ୍ଣ ସୁସ୍ଥ ରହିଛନ୍ତି । ଲୋକମାନେ କରୋନା ମହାମାରୀ ସହ ଲଢୁଥିବା ବେଳେ ସେ କେମିତି ନିଜ କର୍ତ୍ତବ୍ୟରୁ ହଟିଯିବେ ବୋଲି ସେ କହିଥିଲେ ।
ଅନ୍ୟପଟେ ଏଥିରେ ତାଙ୍କ ପରିବାରର ପୂୁର୍ବ ସମର୍ଥନ ରହିଥିବା ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଅନ୍ୟପଟେ ପିଲା ଜନ୍ମ ଠାରୁ ୧୫ ଦିନ ଯାଏ କର୍ମକ୍ଷେତ୍ରର ଲୋକେ ଓ ସହକର୍ମୀ ମାନେ ଯେଭଳି ତାଙ୍କୁ ସହଯୋଗ କଲେ ଓ ତାଙ୍କର ଅନୁପସ୍ଥିତିରେ ତାଙ୍କ ଦାୟିତ୍ୱ ତୁଲାଇଲେ ସେ ନେଇ ସେମାନେ ଧନ୍ୟବାଦର ପାତ୍ର ବୋଲି ସେ କହିଛନ୍ତି । ଏଭଳି ଦାୟିତ୍ୱବୋଧତା ଥିବା ଜଣେ ସରକାରୀ କର୍ମଚାରୀ ଅନ୍ୟମାନଙ୍କ ପାଇଁ ଉଦାହରଣ ।