କନକ ବ୍ୟୁରୋ: ଧର୍ମାନୁଷ୍ଠାନ ଗୁଡିକର ପୁନଃରୁଦ୍ଧାର ଓ ସୌନ୍ଦର୍୍ୟକରଣ ଲାଗି ସରକାରଙ୍କ ପକ୍ଷରୁ ୫ଟି ସଚିବ ରାଜ୍ୟସାରା ବୁଲିବୁଲି କୋଟି କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଚାଲିଲେ । ୩ବର୍ଷ ପୁର୍ୱେ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଏଭଳି ଘୋଷଣା କରିଥିଲେ । ହେଲେ କାର୍୍ୟାରମ୍ଭ ତ ଦୁରର କଥା ଆଜି ଯାଏଁ ଇଟା ଟିଏ ମଧ୍ୟ ପଡିପାରିଲା ନାହିଁ । ଆମେ କହୁଛୁ ନିଜେ ମୁଖ୍ୟମନ୍ତ୍ରୀ ଉନ୍ନତି ଦାୟୀତ୍ୱ ନେଇଥିବା ବ୍ରହ୍ମପୁର ସହରର ଧର୍ମାନୁଷ୍ଠାନ ଗୁଡିକ କଥା ।

Advertisment

ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁର ଠାରେ ମାଆ ସାଆନ୍ତାଣୀ ବୁଢୀ ଠାକୁରାଣୀ ପ୍ରାୟ ୨୦୦ବର୍ଷ ଆଗରୁ ପୂଜା ପାଇ ଆସୁଛନ୍ତି । ଭକ୍ତଙ୍କ ଦାନରେ ମନ୍ଦିରଟିର ଅଳ୍ପ ବହୁତେ ଉନ୍ନତିକରଣ ହୋଇଛି । ଚଳିତ ବର୍ଷ ମା’ଙ୍କ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ସମୟରେ ଫାଇଭ-ଟି ସଚିବ ବ୍ରହ୍ମପୁର ଗସ୍ତରେ ଆସି ମା’ଙ୍କ ମନ୍ଦିରର ଉନ୍ନ୍ତିକରଣ ଲାଗି ୧୮କୋଟି ୫୧ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ଖାଲି ସେତିକି ନୁହେଁ ଗିରିରୋଡ ଠାରେ ଥିବା ଓଡିଆ ବାପଟିଷ୍ଟ ଚର୍ଚ୍ଚ ପାଇଁ ୧୫ ଲକ୍ଷ ଓ ୭୦ବର୍ଷର ଜାମିଆ ମସଜିଦ୍ର ପୁନଃରୁଦ୍ଧାର ପାଇଁ ୩୦ ଲକ୍ଷ ଟଙ୍କାର ଅନୁୁଦାନ ରାଶି ଘୋଷଣା କରିଛନ୍ତି । ଏସବୁ ଘୋଷଣାକୁ ୬ମାସ ବିତିଲାଣି, ହେଲେ କାମ ଆରମ୍ଭ ହୋଇନାହିଁ । କାମ ଆରମ୍ଭ ହେବ କ’ଣ ଇଟା ଟିଏ ବି ପଡିନାହିଁ । ଏହାକୁ ନେଇ ବଡ ପ୍ରଶ୍ନ ଉଠିଛି ।

ଫାଇଭ-ଟି ସଚିବଙ୍କ ଘୋଷଣାର ବହୁ ପୂର୍ବରୁ ବୁଢି ଠାକୁରାଣୀ ମନ୍ଦିର ପାରିପାର୍ଶିକ ଉନ୍ନ୍ତି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ୧୪ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା ହୋଇଥିଲା । ସେହିପରି ଚର୍ଚ୍ଚ ଓ ଜାମିଆ ମସ୍ଜିଦ ପାଇଁ କରୋନା ପୂର୍ବରୁ ମୁଖ୍ୟମନ୍ତ୍ରୀ କୋଟିଏ ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରିଥିଲେ । ଚର୍ଚ୍ଚରେ କିଛି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାଆଙ୍କ ମନ୍ଦିର ଓ ମସ୍ଜିଦ୍ରେ ତାହା ବିନିଯୋଗ ହୋଇପାରିନଥିଲା । ତେବେ ପ୍ରସ୍ତୁତ ହୋଇଥିବା ଡିପିଆର୍ ଅନୁସାରେ ମସଜିଦ୍ର ନବୀକରଣ ପାଇଁ ୬କୋଟି ଟଙ୍କାର ଆବଶ୍ୟକ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ଦୁଇଟି ଦଫାରେ ଘୋଷଣା ହୋଇଥିବା ୧ କୋଟି ୩୦ ଲକ୍ଷ ଟଙ୍କାର ଅନୁଦାନ ଧର୍ମକୁ ଆଖି ଠାର ବୋଲି ଅଭିଯୋଗ ହୋଇଛି । ଏଭଳି ଅନୁଦାନ ଘୋଷଣା କେବଳ ନିର୍ବାଚନୀ ବାଣ ବୋଲି ବୁଦ୍ଧିଜୀବୀ କହିଛନ୍ତି । ସେପଟେ ବିଏମସି କମିଶନର କହିଛନ୍ତି ଅତିଶିଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ ହେବ ।

ସାଧାରଣ ଲୋକଙ୍କ ଆସ୍ଥାକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଗୁଡିକର ନବୀକରଣ କରାଯିବା ଜରୁରୀ । ନଚେତ୍ ଆଗାମୀ ଦିନରେ ଏହାର କୁପ୍ରଭାବ ସରକାରଙ୍କ ଉପରେ ପଡିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।