କନକ ବ୍ୟୁରୋ: ‘ମୋ ପ୍ରିୟ ନରେନ୍ଦ୍ର ଭାଇ ! ଆପଣ ଆମର ଝୋଲି ଭରି ଦେଇଛନ୍ତି । କେହି ବି ଆମ ଦୁଃଖ ବୁଝୁନଥିଲେ, କେହି ଆମ ବିଷୟରେ ଚିନ୍ତା କରୁନଥିଲେ, ଆମକୁ ପରିଚୟ ଦେବାକୁ ଚେଷ୍ଟା କରିନଥିଲେ ହେଲେ ଆପଣ ଆସିବା ପରେ ଆମକୁ ପରିଚୟ ମିଳିଛି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍’

Advertisment

ନିଜର ନିରନ୍ତର, ନିଃସ୍ୱାର୍ଥପର ସମାଜ ସେବା ପାଇଁ ପଦ୍ମ ପୁରସ୍କାର ପ୍ରଦାନ ଚାଲିଥିବାବେଳେ ରାଷ୍ଟ୍ରପତି ଭବନରେ ଶୁଣିବାକୁ ମିଳିଥିଲା ଏଭଳି ଭାବବିହ୍ୱଳ କେଇପଦ କଥା, ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏ ଥିଲା ପଦ୍ମ ପୁରସ୍କାରରେ ସମ୍ମାନୀତ ହୋଇଥିବା ଆଦିବାସୀ ସମ୍ପ୍ରଦାୟର ୭୦ ବର୍ଷୀୟା ବୟସ୍କା ମହିଳା ହିରାବାଈବେନ୍ ଇବ୍ରାହିମ୍ଭାଇ ଲୋବି ।
ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ଆସିବାବେଳେ ସେଠାରେ ଉପସ୍ଥିତ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ଲୋକସଭା ସ୍ପିକର ଏମ୍ ବିର୍ଲାଙ୍କ ଆଗରେ ଦଣ୍ଡେ ଅଟକି ଯାଇଥିଲେ । ମୋଦୀଙ୍କ ଆଗରେ ନିଜ ପଣତ କାନି ପତେଇ ନିଜ ହୃଦୟର କୃତଜ୍ଞତା ଜଣାଇଥିଲେ । ତାଙ୍କର ସେ ନିଷ୍କପଟ ସରଳ କଥା ସବୁ ଉପସ୍ଥିତ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ଭାବବିହ୍ୱଳ କରିପକାଇଥିଲା । କରତାଳିରେ କମ୍ପିଥିଲା ପୁରା ପରିବେଶ । ତାଙ୍କୁ ପ୍ରତି ନମସ୍କାର ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ଏତିକିରେ କଥା ସରିନଥିଲା । ଏହାପରେ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ପଦ୍ମ ପୁରସ୍କାର ଗ୍ରହଣ କରିବାର ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା । ତାଙ୍କ ମନରେ ନଥିଲା କିଛି ନିୟମ ବା କିଛି ପ୍ରୋଟୋକଲର ଧାରଣା । ଯଦିଓ ପ୍ରେଟୋକଲ ଓ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କୁ କୋଳେଇବା ସମ୍ଭବ ନୁହେଁ ତଥାପି ହିରାବାଇବେନ୍ ରାଷ୍ଟ୍ରପତିଙ୍କୁ ମମତାଭରା ଆଲିଙ୍ଗନ କରିଥିଲେ । ମେଡାଲ ପିନ୍ଧି ପଦ୍ମଶ୍ରୀ ମାନପତ୍ର ଗ୍ରହଣ କରିବା ପରେ ରାଷ୍ଟ୍ରପତିଙ୍କ କାନ୍ଧରେ ହାତ ପକାଇ ଫଟୋ ପୋଜ୍ ଦେଇଥିଲେ । ରାଷ୍ଟ୍ରପତିଙ୍କ ସହ କିଛି କ୍ଷଣର ଖୁସିଭରା ମୁୁହୂର୍ତ୍ତ ହିରାବାଇବେନଙ୍କୁ ଖୁସି ଦେଇଥିଲା । ଏହି କିଛି କ୍ଷଣର ଦୃଶ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି ।

ହିରାବାଇ ବେନ୍ ଲୋବି ହେଉଛନ୍ତି ଆଦିବାସୀ ମହିଳା ସଂଘର ସଭାପତି । ଏହି ସଂଘ ସାରା ଦେଶରେ ସିଦ୍ଦି ଓମ୍ୟାନ୍ସ ଫେଡେରେସନ୍ ଭାବେ ଜଣା । ସିଦ୍ଦି ଆଦିବାସୀ ସମ୍ପ୍ରଦାୟର ୭୦୦ ମହିଳାଙ୍କ ଜୀବନ ହେଉଛନ୍ତି ହୀରାବାଇବେନ୍ । ହିରାବାଇ ବେନଙ୍କ ପୂର୍ବଜ ପ୍ରକୃତରେ ଦକ୍ଷିଣ ଆଫ୍ରିକାର ପ୍ରକୃତ ବାସିନ୍ଦା । ୫୦୦ ବର୍ଷ ପୂର୍ବରୁ ଆରବ ବଣିକମାନେ ତାଙ୍କୁ ଆଣିି ବିଭିନ୍ନ ଦେଶରେ କ୍ରୀତଦାସ ଭାବେ ବିକ୍ରି କରିଦେଉଥିଲେ । ଏହି କ୍ରମରେ କିଛି ସିଦ୍ଦି ଆଦିବାସୀଙ୍କୁ ଆଣି ସେତେବେଳେ ଭାରତର ନବାବଙ୍କୁ ମଧ୍ୟ ବିକ୍ରି କରିଦେଇଥିଲେ । ସେଦିନଠୁ ଏହି ସମ୍ପ୍ରଦାୟ ଅବହେଳିତ ହୋଇ ରହିଆସୁଛନ୍ତି । ଗୁଜୁରାଟର ଗିର ଅଞ୍ଚଳରେ ଏହି ସମ୍ପ୍ରଦାୟ ବାସବାସ କରୁଛନ୍ତି । ଏମାନେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଧାରାରୁ ବଞ୍ଚିତ ଥିବାବେଳେ ଏମାନଙ୍କ ଉତଥାନ ପାଇଁ ଅଣ୍ଟା ଭିଡିଥିଲେ ହିରାବାଇ ବେନ୍ । ଲଗାତାର ସଂଘର୍ଷ କରି ସିଦ୍ଦି ମହିଳାଙ୍କୁ ଦେଇଥିଲେ ନୂଆ ଜୀବନ । ନିଜେ ପିଲାବେଳୁ ଅନାଥ ହୋଇ ଅତି ଦାରିଦ୍ର୍ୟରେ ଜୀବନ କଟାଇଥିଲେ ବି ଅନାଥ ଗରିବ ସିଦ୍ଦି ପିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି , ସେମାନଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଅନେକ କିଛି କରିଛନ୍ତି ହିରାବାଇ ଲୋବି । ଏଥିପାଇଁ ତାଙ୍କୁ ଅନେକ ଅନୁଷ୍ଠାନ ଠାରୁ ମିଳିଛି ଅନେକ ସମ୍ମାନ ।ତେବେ ହୀରାବାଇ ବେନ୍ ଲୋବିଙ୍କ ଭଳି ମାଟିର ମଣିଷଙ୍କୁ ଶ୍ରେଷ୍ଠ ସମ୍ମାନରେ ସମ୍ମାନୀତ କରି ଅନେକ ପ୍ରଶଂସା ସାଉଁଟିଛନ୍ତି ମୋଦୀ ସରକାର ।