କନକ ବ୍ୟୁରୋ : ପୁରୁଣାକୋଟ ଥାନା ଅନ୍ତୁଳିଆ ଛକରେ ରବିବାର ରାତି ୮ଟା ୧୫ରେ ଓ୍ଵାର୍ଡ ସଭ୍ୟ ଜଗବନ୍ଧୁ ବେହେରା (୫୫)ଙ୍କୁ ହତ୍ୟା କରାଯାଇଛି । ଅନ୍ତୁଳିଆ ପଂଚାୟତର ୭ ନମ୍ବର ଓ୍ଵାର୍ଡର ସଭ୍ୟ ଜଗବନ୍ଧୁ କୌଣସି କାମରେ ଗାଁ ଛକକୁ ଯାଇଥିଲେ । ସେଠାରେ ତାଙ୍କ ଗାଁର ସଦାନନ୍ଦ ଗଡ଼ନାୟକ (୪୨) ଭୁଜାଲିରେ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଜଗବନ୍ଧୁଙ୍କ ପେଟରେ ୨/୩ ଥର ଭୁଜାଲି ଭୁସି ଦେଇ ଅଭିଯୁକ୍ତ ଫେରାର ହୋଇଯାଇଥିବା କୁହାଯାଉଛି । ଭୁଜାଲି ମାଡ଼ରେ ଘଟଣାସ୍ଥଳରେ ଜଗବନ୍ଧୁଙ୍କ ପ୍ରାଣବାୟୁ ଉଡିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Advertisment

ଜଗବନ୍ଧୁ ଓ ସଦାନନ୍ଦଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ରହିଥିଲା । ପୂର୍ବ ଶତ୍ରୁତାକୁ ନେଇ ସଦାନନ୍ଦ ଆଜି ହତ୍ୟା କରିବା ପାଇଁ ଯୋଜନା କରିଥିଲା । ଜଗବନ୍ଧୁ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ଛକରେ ଥିବା ଜାଣି ସେଠାରେ ପହଂଚିଥିଲା । ବିଜୁଳି ଆଳୁଅ ନଥିବାରୁ ସଦାନନ୍ଦଙ୍କୁ ଜଗବନ୍ଧୁ ଦେଖିପାରି ନ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଖବର ଲେଖାଯିବା ବେଳକୁ ରାତି ୧୦ଟା ସୁଦ୍ଧା ପୁଲିସ ଘଟଣାସ୍ଥଳରେ ପହଂଚି ନାହିଁ ।