ଆଜି ବିଶ୍ୱ ହୃଦୟ ଦିବସ : ତ୍ରୁଟିପୂଣ୍ଣ ଜୀବନଶୈଳୀ ଯୋଗୁଁ ଯୁବକଙ୍କଠାରେ ଅଧିକ ଦେଖାଦେଉଛି ହୃଦୟଜନିତ ସମସ୍ୟା

ଅତ୍ୟଧିକ ଧୂମପାନ, ମଦ୍ୟପାନ ଭଳି ଅଭ୍ୟାସ ବଢାଉଛି ହୃଦଘାତ ଆଶଙ୍କା

274

କନକ ବ୍ୟୁରୋ : ଆଜି ୱାର୍ଲଡ ହାର୍ଟ ଡେ’ ବା ବିଶ୍ୱ ହୃଦୟ ଦିବସ । ସାରା ବିଶ୍ୱରେ ବର୍ଷକୁ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କର ଏହି ରୋଗରେ ମୃତ୍ୟୁ ଘଟୁଛି । ମାନସିକ ଚାପ ରହିଲେ ହୃଦରୋଗ ବଢିବାର ଆଶଙ୍କା ଅଧିକ ରହିଛି ବୋଲି ଜଣାପଡିଛି । କେବଳ ଜଣେ ୫୦ ବର୍ଷର ଲୋକଙ୍କ ପାଖରେ ଏହି ରୋଗ ହେଉଛି ତା ନୁହେଁ ବରଂ ୨୦ ବର୍ଷର ଯୁବକଙ୍କ ପାଖରେ ମଧ୍ୟ ଏହି ରୋଗ ଦେଖାଯାଉଛି । କେବଳ ବୟସ୍କ ନୁହେଁ, ଯୁବକ ଅବସ୍ଥାରେ ବି ହୃଦଘାତ ହେଉଛି । ମୁଖ୍ୟତଃ ତୃଟିପୂର୍ଣ୍ଣ ଜୀବନଶୈଳୀ, ବ୍ୟାୟାମର ଅଭାବ, ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଯୁବକମାନେ ହୃଦରୋଗରେ ଶିକାର ହେଉଛନ୍ତି ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ଅତ୍ୟଧିକ ଧୂମପାନ ଓ ମଦ୍ୟପାନ ଭଳି ବଦଭ୍ୟାସ, ଯୁବକ ଅବସ୍ଥାରେ ହୃଦଘାତର ଆଶଙ୍କାକୁ ବଢ଼ାଇ ଦେଉଛି  । ଏହାସହ ଅତ୍ୟଧିକ ମାନସିକ ଚାପ ମଧ୍ୟ ହୃଦଘାତର କାରଣ ପାଲଟୁଛି  । କର୍ମ କ୍ଷେତ୍ରରେ ଅତ୍ୟଧିକ ଚାପ, ନିଶା ସେବନ, ମେଦ ବହୁଳତା, ହୃଦଘାତର କାରଣ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ ।

ସେହିଭଳି ରକ୍ତ ସମ୍ପର୍କୀୟଙ୍କ ସହିତ ବିବାହ ସମେତ ଅନ୍ୟ କେତେକ କାରଣରୁ ଓଡ଼ିଶାରେ ଶିଶୁ ହୃଦ୍‌ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ନବଜାତଙ୍କଠାରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ହୃତ୍‌ପିଣ୍ଡରେ କଣା, ହୃତ୍‌ପିଣ୍ଡ ଅବସ୍ଥିତିରେ ପରିବର୍ତ୍ତନ ଭଳି ବିଭିନ୍ନ ପ୍ରକାର ସମସ୍ୟା ଚିହ୍ନଟ ହେଉଛି। ଏମାନଙ୍କ ମଧ୍ୟରୁ ୫ ପ୍ରତିଶତ ଶିଶୁ ସାମାନ୍ୟ ଏବଂ ୫ ପ୍ରତିଶତ ଗୁରୁତର ହୃଦ୍‌ରୋଗର ଶିକାର ହୋଇ ଥାଆନ୍ତି । ଗୁରୁତର ଶିଶୁଙ୍କୁ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକ ହୁଏ । ମାତ୍ର ଆମ ରାଜ୍ୟରେ ଶିଶୁ ହୃଦ୍‌ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାଟିଏ ନାହିଁ । ଏମ୍ସ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସ୍ଥିତ ନାରାୟଣ ହୃଦୟାଳୟରେ ଏହି ଚିକିତ୍ସା ସୁବିଧା ରହିଛି। ଅବଶ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ନାରାୟଣ ହୃଦୟାଳୟ ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ପ୍ରତିବର୍ଷ କିଛି ଶିଶୁଙ୍କୁ ନାରାୟଣ ହୃଦୟାଳୟକୁ ପଠାଯାଏ । ମାତ୍ର ଅନେକଙ୍କ ପାଇଁ ଏହି ସୁବିଧା ପାଇବା ସହଜ ନୁହେଁ। ଏହି ପ୍ରକ୍ରିୟାରେ ଅନେକ ଶିଶୁ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହୁଅନ୍ତି। କୋଭିଡ୍ ସ୍ଥିତି ଯୋଗୁଁ ଦୁଇ ବର୍ଷ ହେଲା ଏହା ବାଧାପ୍ରାପ୍ତ ମଧ୍ୟ ହୋଇଛି ।

ଏ ବର୍ଷର ସ୍ଲୋଗାନ ‘ହାର୍ଟ ଟୁ ହାର୍ଟ କନେକ୍ଟ’
ଚଳିତ ବର୍ଷ ବିଶ୍ବ ହୃତ୍‌ପିଣ୍ଡ ଦିବସର ସ୍ଲୋଗାନ ହେଲା, ହାର୍ଟ ଟୁ ହାର୍ଟ କନେକ୍ଟ (ହୃଦୟ ସହିତ ହୃଦୟର ସଂଯୋଗ) । ପ୍ରଥମତଃ ଲୋକେ ଘରେ ରହିବାରୁ ଶାରୀରିକ କାର୍ଯ୍ୟାଭ୍ୟାସ ଏକ ପ୍ରକାର ବନ୍ଦ ହୋଇଯାଇଛି । ବିଶେଷକରି ଛୁଆମାନଙ୍କ ଓଜନ ବୃଦ୍ଧି ପାଇଛି । ସାଧାରଣ ଲୋକ ମଧ୍ୟ ବିପଜ୍ଜନକ ଜୋନ୍‌କୁ ଚାଲି ଆସିଲେ । ଦ୍ବିତୀୟତଃ କରୋନା ଯୋଗୁଁ ହୃଦରୋଗୀଙ୍କ ଚିକିତ୍ସା ବ୍ୟାହତ ହେଲା । ଏଥିଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଗଲା । ସବୁ ଡାକ୍ତରଖାନାରେ ଅଣକୋଭିଡ୍‌ ଚିକିତ୍ସା ବନ୍ଦ କିମ୍ବା ଲକ୍‌ଡାଉନ୍‌ ଯୋଗୁଁ ହୃଦରୋଗୀ ଭୟଭୀତ ହୋଇ ଡାକ୍ତରଖାନା ଯାଇପାରିଲେ ନାହିଁ । ଏହାଛଡ଼ା ବେଳେବେଳେ ରୋଗୀଙ୍କ ହୃଦ୍‌ରୋଗ ଅସ୍ତ୍ରୋପଚାର ବେଳେ କୋଭିଡ୍‌ ଚିହ୍ନଟ ଯୋଗୁଁ ଅସ୍ତ୍ରୋପଚାର ବିଳମ୍ବିତ ହୋଇଛି । ତୃତୀୟତଃ କୋଭିଡ୍‌ ଆକ୍ରାନ୍ତଙ୍କ ହୃଦ୍‌ରୋଗ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । କୋଭିଡ୍‌ ସମୟରେ ସାମାଜିକ ଦୂରତ୍ବର ସ୍ଲୋଗାନ ଦିଆଯାଉଥିଲା। ମାତ୍ର ହୃଦ୍‌ରୋଗ ଦିବସରେ ବ୍ୟବସ୍ଥା ସହିତ ଯୋଡ଼ି ହେବାକୁ ଆହ୍ବାନ ଦିଆଯାଉଛି ।