କନକ ବ୍ୟୁରୋ : କାଠ ମୁଖା ତିଆରି କଲେ ଚଳୁଛି ପରିବାର । ଜୀବନ ଜୀବିକାର ମାଧ୍ୟମ ପାଲଟିଛି କାଠରେ ତିଆରି ମୁଖା । ଝଡଝଞ୍ଜା ଆସୁଛି, ରୋଜଗାର ବି କମିଛି । ତଥାପି କମିନି କଳାକାରଙ୍କ ନିଶା । କୌଳିକ ବୃତିକୁ ବଂଚାଇ ରଖିଛନ୍ତି କିଛି କୁଶଳୀ କାରିଗର । ୪୦ ବର୍ଷ ଧରି କାଠ ମୁଖା ତିଆରି କରୁଛନ୍ତି ଖଣ୍ଡପଡା କୁମ୍ଭାର ସାହିର କାଳିଆ ମହାପାତ୍ର । ଦଶାନନ ତଥା ରାବଣର ମୁଖା ହେଉ ଅବା ଚତୁର୍ଦ୍ଧାମୂର୍ତୀଙ୍କର ମୁଖା କିମ୍ବା ଅନ୍ୟ ଦେବାଦେବୀଙ୍କର । ଅବିକଳ ମୁଖା ପ୍ରସ୍ତୁତିରେ ଲାଗିଛନ୍ତି କାରିଗର କାଳିଆ ମହାପାତ୍ର । ନିମ୍ବ, ପାଳଧୁଆ, ଶିମିଳି ଆଦି କାଠକୁ ଆଣି ତାକୁ ଆବଶ୍ୟକତା ଅନୁସାରେ କାଟି ନିହଣ ମୂନରେ ପ୍ରସ୍ତୁତ କରୁଛନ୍ତି ଏହି ମୁଖା । କୌଳିକ ବୃତିକୁ ଆପଣାଇ ଜୀବିକା ନିର୍ବାହ କରୁଛନ୍ତି । ଯାହା ତାଙ୍କ ପରିବାର ପ୍ରତିପୋଷଣରେ ସହାୟକ ହେଉଛି ।

Advertisment

ପୁରା କାମରେ ସହାୟତା କରୁଛନ୍ତି କାଳିଆଙ୍କ ଧର୍ମପତ୍ନୀ ଭାନୁମତି । ମୁକଟଠାରୁ ଆରମ୍ଭ କରି ମାଟି, ପଥର ମୂର୍ତୀ ନିର୍ମାଣରେ ପାଦ ସହ ପାଦ ମିଶାଇ ସ୍ୱାମୀଙ୍କୁ ସହଯୋଗ କରୁଛନ୍ତି । ଭାନୁମତି ତାଙ୍କ ବାପଘରୁ ଏହି କଳା ଶିଖିଛନ୍ତି । ବିବାହ ପରେ ସେହି କଳାକୁ ଉପଯୋଗ କରି ପରିବାରର ଗୁଜୁରାଣ ମେଂଟାଉଛନ୍ତି ।

ଘରର ଉଚ୍ଚଶିକ୍ଷିତ ପୁଅ ମଧ୍ୟ ସାମିଲ ହୋଇଛନ୍ତି ଏହି କାରିଗରି ବିଦ୍ୟାରେ । ମୂର୍ତୀଗୁଡିକୁ ରଙ୍ଗ ଦେଇ ଆହୁରି ଆକର୍ଷଣୀୟ କରୁଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ବିଦ୍ୟାକୁ ସେ ଆଗକୁ ନେବେ ବୋଲି କହିଛନ୍ତି । ଏହା ସହ ଗାଁର କିଛି ପରିବାର ମଧ୍ୟ ଏହି ବୃତିରେ ସାମିଲ ହୋଇଛନ୍ତି । କଳାକାରର ନିଶା ଏମାନଙ୍କୁ ଏହି ବୃତିରେ ବାନ୍ଧି ରଖିଥିବା ବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ଖଣ୍ଡପଡା କୁମ୍ଭାରସାହିକୁ ଶୀଳ୍ପୀଗ୍ରାମ ଭାବରେ ଘୋଷଣା କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।