ତାଲାବନ୍ଦ ବେଳେ ମାତିଲେ କାଠ ମାଫିଆ । ଘରୁ କେହି ବାହାରୁ ନଥିବାରୁ, ଶୂନଶାନର ସୁଯୋଗ ନେଇ ଗଛ କାଟି ସଫା କରୁଛନ୍ତି ଜଙ୍ଗଲ । ବନ କର୍ମଚାରୀଙ୍କ ସହ ରହିଛି କି ମାଫିଆଙ୍କ ଭିତିରି ଲିଙ୍କ ?

342

କନକ ବ୍ୟୁରୋ: ଗଂଜାମ ଭଂଜନଗର ଅଂଚଳରେ ରହିଛି ଉତ୍ତର ଘୁମୁସର ବନଖଣ୍ଡର ୫ଟି ରେଂଜ । କେନ୍ଦ୍ରୀୟ ଓ ମୁଜାଗଡ଼ ବନାଂଚଳରେ ଚାଲିଛି ବେଧଡ଼କ ଜଙ୍ଗଲ ଲୁଟ୍ । ହୁଡ଼ୁହୁଡ଼ୁ, ଫାଇଲିନ୍ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ହଜାର ହଜାର ଗଛ ଉଜୁଡ଼ି ଯାଇଥିଲା । ଆଉ ଏବେ ଲକ୍ ଡାଉନ୍ ଚାଲିଛି । ପୁଲିସ ସହର ଓ ଗ୍ରାମାଂଚଳରେ ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲରେ ରାଜ କରୁଛନ୍ତି କାଠ ମାଫିଆ । ଅଭିଯୋଗ ଅନୁସାରେ, ତାଲାବନ୍ଦର ସାହାରା ନେଇ କିଛି ବନ କର୍ମଚାରୀଙ୍କ ସହାୟତାରେ କାଠ ମାଫିଆମାନେ ବହୁ ମୁଲ୍ୟ ଜଙ୍ଗଲ ସମ୍ପଦ ଲୁଟ୍ କରୁଛନ୍ତି ।

କାଠ ମାଫିଆଙ୍କୁ ସୁହାଇଛି ତାଲାବନ୍ଦ । ଗଛ କାଟି ଜଙ୍ଗଲ ପଦା କରିଦେଲେ ମାଫିଆ । ଲକ୍ ଡାଉନ୍ ଯୋଗୁଁ ସହର ଓ ଗ୍ରାମାଂଚଳରେ ପୁଲିସ ପାଟ୍ରୋଲିଂ କରୁଛି । ଆଉ ଏହି ତାଲା ବନ୍ଦର ଫାଇଦା ନେଇ ବେଧଡକ ଜଙ୍ଗଲ କାଟି ସଫା କରୁଛନ୍ତି ମାଫିଆ । ଭଂଜନଗର କେନ୍ଦ୍ରୀୟ ଓ ମୁଜାଗଡ଼ ବନାଂଚଳରେ ଥିବା ଶାଳ, ପିଆଶାଳ ଓ ସାଗୁଆନ୍ ଭଳି ବହୁମୂଲ୍ୟ ଗଛ କାଟି ଟ୍ରାକ୍ଟରରେ ବୋହି ନେଉଛନ୍ତି ମାଫିଆ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ବନ କର୍ମଚାରୀଙ୍କ ସହଯୋଗରେ ଲୁଟ ହେଉଛି ଜଙ୍ଗଲ । ରମ୍ଭା ବିଟ୍ ହାଉସ୍ ଠାରୁ ମାତ୍ର ୫୦ ମିଟର ଦୂର ଜଙ୍ଗଲରୁ ଗଛ କାଟି ନେଇ ବାହାରେ ବିକ୍ରି କରୁଛନ୍ତି ମାଫିଆ ।

ମାଫିଆମାନେ ଗଛ କାଟି ଜଙ୍ଗଲ ସଫା କରୁଥିବା ବେଳେ ଜଙ୍ଗଲରୁ ଜାଳ ସଂଗ୍ରହ କରୁଥିବା ଗ୍ରାମବାସୀଙ୍କୁ ବନ କର୍ମଚାରୀ ମାଡ ମାରୁଥିବା ଅଭିଯୋଗ ହୋଇଛି । କେନ୍ଦ୍ରୀୟ ବନାଂଚଳରେ ଥିବା ଡ଼ୁମାକୁମ୍ପା ଗାଁର କିଛି ମହିଳା ଜଙ୍ଗଲକୁ ଜାଳ ଆଣିବା ପାଇଁ ଯାଇଥିଲେ । ସେଠାରେ ବନ କର୍ମଚାରୀ ସେମାନଙ୍କୁ ଅଟକାଇବା ସହ ମାଡ ମାରି ବିଦା କରି ଦେଇଥିଲେ । ଗ୍ରାମବାସୀଙ୍କୁ ଜଙ୍ଗଲ ବାରଣ କରି ବନ କର୍ମଚାରୀ ମାଫିଆଙ୍କୁ ସହଯୋଗ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ସେପଟେ ଏହି ଘଟଣା ସଂପର୍କରେ ପ୍ରତିକ୍ରିୟା ରଖିବାକୁ ଡିଏଫ୍ଓ ମନା କରିବା ସହ କଟା ଯାଇଥିବା କାଠକୁ ଜବତ କରିଥିବା କହିଛନ୍ତି । ଜଙ୍ଗଲରେ ପାଟ୍ରୋଲିଂକୁ କଡାକଡି କରି କାଠ ମାଫିଆଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।