କନକ ବ୍ୟୁରୋ : କେନ୍ଦୁଝରରେ ଶ୍ରୀବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ମିଳୁନି ଆବଶ୍ୟକୀୟ କାଠ । ରଥ ମରାମତି ପାଇଁ ଆବଶ୍ୟକ ହେଉଥିବା ଧଉରା ଓ ଶାଳ ଅଭାବ ଯୋଗୁଁ ଅସନ୍ତୋଷ ବଢୁଛି । ଅକ୍ଷୟତୃତୀୟା ଠାରୁ ରଥ ମରାମତି କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଆଗେଇ ପାରୁନାହିଁ । ୭୨ ଫୁଟ ଉଚ୍ଚ, ୪୫ ଫୁଟ ଚଉଡାର ଏହି ରଥ ମରାମତି ପାଇଁ ଧଉରା ଓ ଶାଳ କାଠର ଆବଶ୍ୟକତା ରହିଛି । ତେଣୁ ଜଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଆବଶ୍ୟକ କାଠ ଯୋଗାଇ ଦେବାକୁ ସେବାୟତମାନେ ଦାବି କରିଛନ୍ତି ।
ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ କେନ୍ଦୁଝରଗଡ଼ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱର ସର୍ବବୃହତ ରଥ । କେନ୍ଦୁଝରର ରଥକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ମଧ୍ୟ ସ୍ଥାନ ମିଳି ସାରିଛି । ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା ହେବାକୁ ଥିବା ବେଳେ, ରଥ ମରାମତି କାମ ଆରମ୍ଭ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ରଥ ମରାମତି ପାଇଁ ଆବଶ୍ୟକ ପରିମାଣର କାଠ ମିଳିପାରୁନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି ।
ପ୍ରତିବର୍ଷ କେନ୍ଦୁଝରରେ ନୂଆ ରଥ ନିର୍ମାଣ ହୁଏ ନାହିଁ । କିନ୍ତୁ କରୋନା ଯୋଗୁଁ ୨ ବର୍ଷ ଧରି ରଥଯାତ୍ରା ହୋଇନଥିବାରୁ ଖରା-ବର୍ଷାରେ ବଡ଼ଦାଣ୍ଡରେ ଥିବା ରଥର ଅଧିକାଂଶ ଭାଗ ନଷ୍ଟ ହୋଇଯାଇଛି । ଅକ୍ଷୟ ତୃତୀୟାରୁ ରଥ କାଠ ଅନୁକୂଳ ହୋଇଥିଲେ ବି ଆବଶ୍ୟକ କାଠ ମିଳୁନଥିବାରୁ ମରାମତି କାମରେ ବିଳମ୍ବ ହେଉଛି । ତେଣୁ ତୁରନ୍ତ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।
ବିଶ୍ୱର ସବୁଠୁ ବଡ଼ ରଥ ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିବାରୁ ଚଳିତବର୍ଷ ରଥଯାତ୍ରାକୁ ନେଇ କେନ୍ଦୁଝରବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି ।