ଇଣ୍ଡିଗୋ ବିମାନରେ ଦିବ୍ୟାଙ୍ଗଙ୍କୁ ମିଳିଲାନି ଅନୁମତି । ଏଭଳି ଆଚରଣ ଗ୍ରହଣୀୟ ନୁହେଁ କହି ଟ୍ୱିଟ କଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପଢନ୍ତୁ ପୂରା ଘଟଣା…

168

କନକ ବ୍ୟୁରୋ: ଇଣ୍ଡିଗୋ ବିମାନରେ ଜଣେ ଦିବ୍ୟାଙ୍ଗକୁ ପ୍ରବେଶ ଅନୁମତି ମିଳିନାହିଁ । ଏହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଇଣ୍ଡିଗୋ କର୍ମଚାରୀଙ୍କ ଏଭଳି ଚରମ ଅବହେଳାକୁ ନେଇ ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଛି ।  ତେବେ ଘଟଣାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରତିକ୍ରିୟା ରଖିଛନ୍ତି । ସେ ଟୁଇଟ କରି ଲେଖିଛନ୍ତି ଏଭଳି ଆଚରଣ ଗ୍ରହଣୀୟ ନୁହେଁ । କୌଣସି ବ୍ୟକ୍ତିଙ୍କୁ ଏଭଳି ପରିସ୍ଥିତି ଦେଇ ନଯିବା ଦରକାର । ନିଜେ ସେ ଏହି ମାମଲାର ଯାଞ୍ଚ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଡିଜିସିଏ ଏ ମାମଲାର ଯାଞ୍ଚ ଆରମ୍ଭ କରିଛି । ଇଣ୍ଡିଗୋ କର୍ତ୍ତୃପକ୍ଷକୁ ଏନେଇ ଏକ ରିପୋର୍ଟ ମଗାଯାଇଛି । ଅଧିକାରୀଙ୍କ କହିବା କଥା ଯେ ଯେହେତୁ ଦିବ୍ୟାଙ୍ଗଙ୍କୁ ବିମାନରେ ପ୍ରବେଶ ପାଇଁ ଅନୁମତି ମିଳିଲା ନାହିଁ ତେଣୁ ତାଙ୍କ ପରିବାର ସଦସ୍ୟ ମଧ୍ୟ ବିମାନରେ ଯାତ୍ରା କରିନଥିଲେ । ବିମାନଟି ରାଞ୍ଚିରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିଲା ।

ଡିଜିସିଏର ଅଧିକାରୀ ଅରୁଣ କୁମାର ପିଟିଆଇକୁ ସୂଚନା ଦେଇ କହିଛନ୍ତି । ଏ ଘଟଣାର ଯାଞ୍ଚ ଜାରି ରହିଛି । ଦୋଷୀ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରାଯିବ । ତେବେ ଗତ ୭ ତାରିଖରେ ଜଣେ ଦିବ୍ୟାଙ୍ଗ ନିଜ ପରିବାର ସହ ଯାତ୍ରା କରୁଥିଲେ । ତେବେ ସେ ଟିକେ ବିମାନରେ ଚଢିବା ପୂର୍ବରୁ ବ୍ୟସ୍ତ ବିବ୍ରତ ନଜର ଆସୁଥିଲେ । ତେବେ ସେଠାରେ ଥିବା କର୍ମଚାରୀ ଶେଷ ଯାଏ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ କୌଣସି ସଫଳତା ନମିଳିବାରୁ ତାଙ୍କୁ ଏୟାରଲାଇନ ପକ୍ଷରୁ ହୋଟେଲରେ ରଖାଯାଇଥିଲା । ପରଦିନ ସକାଳୁ ସେ ନିଜର ଗନ୍ତବ୍ୟସ୍ଥଳକୁ ଯାଇଥିଲେ ।

ଇଣ୍ଡିଗୋ ପକ୍ଷରୁ କୁହାଯାଇଛି, ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ସେମାନେ ଦୁଃଖିତ । ଇଣ୍ଡିଗୋ କର୍ମଚାରୀଙ୍କ ଠାରୁ ନେଇ ଗ୍ରାହକ ଯାଏ ସମସ୍ତଙ୍କ ପାଇଁ କାମ କରୁଛି । ୭୫ ହଜାରରୁ ଅଧିକ ଦିବ୍ୟାଙ୍ଗ ପ୍ରତିମାସରେ ଇଣ୍ଡିଗୋରେ ଉଡାଣ କରୁଛନ୍ତି ।