କନକ ବ୍ୟୁରୋ: ମାତ୍ର ୩ ସପ୍ତାହର ରିହାତି ପରେ ପୁଣି ପିଆଜ ଦର ଆକାଶଛୁଆଁ ହୋଇଛି। ଚଳିତ ବର୍ଷର ସର୍ବାଧିକ କିଲୋ ପିଛା ଦର ୫୦ଟଙ୍କାରୁ ତଳକୁ ଖସି ଆସିଥିବା ପିଆଜ ଦର ଏଥର ୫୫ଟଙ୍କାକୁ ଡେଇଁ ପଡ଼ିଛି। ହଠାତ୍ ପାଇକାରୀ ଦର କିଲୋ ପିଛା ୧୦ ଟଙ୍କାକୁ ବୃଦ୍ଧି ପାଇ ୪୫ ଟଙ୍କା ହୋଇଥିବାରୁ ଖୁଚୁରା ବଜାର ଦର ୫୫ଟଙ୍କାରେ ପହଞ୍ଚି ଯାଇଛି। ରପ୍ତାନି ଉପରୁ କଟକଣା ହଟିବା ପରେ ଏଭଳି ସ୍ଥିତି ଉପୁଜିଥିବା ବ୍ୟବସାୟୀ ମହଲରୁ ସୂଚନା ମିଳିଥିବା ବେଳେ କେହି କେହି ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ସରି ଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ମତ ଦେଇଛନ୍ତି। ତେବେ ଆଉ ଦିନକ ପରେ ଏହା ୬୦ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି।

Advertisment

publive-imageଆଜି କ୍ୟାପିଟାଲ ଖୁଚୁରା ହାଟରେ ପିଆଜ କିଲୋ ୫୫ ଟଙ୍କା ରହିଛି। ଏମିତିକି କିଛି ବ୍ୟବସାୟୀ ବଛାବଛି କରି ଭଲ ପିଆଜକୁ କିଲୋ ପିଛା ୫୮ ଟଙ୍କାରେ ବିକୁଥିବା ଦେଖିବାକୁ ମିଳିଛି। ତେଣୁ ରାଜଧାନୀ ଉପକଣ୍ଠର ବହୁ ପାଳି ହାଟରେ ପିଆଜ କିଲୋ ୬୦ ଟଙ୍କା ହୋଇଥିବା ମଧ୍ୟ ଖବର ମିଳିଛି। ଶନିବାର କୁବେରପୁରୀରୁ ମିଳିଥିବା ତଥ୍ୟ ଅନୁସାରେ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ପିଆଜ ଆମଦାନିରେ କୌଣସି ହ୍ରାସ ଘଟିନାହିଁ। କିନ୍ତୁ ନାସିକରେ ପାଇକାରୀ ଦର ବୃଦ୍ଧି ପାଇଛି। ଏବେ ନାସିକରେ ପାଇକାରୀ ଦର କିଲୋ ପିଛା ୪୦ ଟଙ୍କାରୁ ୪୨ ଟଙ୍କା ରହିଛି।

ତେଣୁ ଭୁବନେଶ୍ବରରେ ମାଲ୍ ପହଞ୍ଚିବା ବେଳକୁ ପରିବହନ ଖର୍ଚ୍ଚ ସହ କିଲୋ ପିଛା ୪୪/୪୫ ଟଙ୍କା ପଡ଼ୁଛି। ହଠାତ୍ ଦର ବୃଦ୍ଧି ନେଇ ବ୍ୟବସାୟୀମାନଙ୍କ କହିବା କଥା, ରପ୍ତାନି କଟକଣା ହଟି ଯାଇଥିବାରୁ ବିଦେଶକୁ ବହୁ ପରିମାଣରେ ମାଲ୍ ଚାଲି ଯାଉଛି। ଫଳରେ ଦେଶୀୟ ବଜାରରେ ଦର ସ୍ବାଭାବିକ ଭାବେ ବଢ଼ିଛି। ଆଉ କିଛି ବ୍ୟବସାୟୀଙ୍କ କହିବା କଥା, ମହାରାଷ୍ଟ୍ର ଓ ହରିୟାଣାରେ ନିର୍ବାଚନ ଥିବାରୁ ରପ୍ତାନି ଉପରେ କଟକଣା ଲାଗୁ କରାଯାଇଥିଲା। ମାତ୍ର ଏବେ ନିର୍ବାଚନ ସରି ଯାଇଥିବାରୁ ଚାଷୀମାନଙ୍କ ଦାବିକୁ ସମର୍ଥନ କରି ଉକ୍ତ କଟକଣାକୁ ଉଠାଇ ନିଆଯାଇଛି। ତେଣୁ ନିକଟରେ ଆଉ ପିଆଜ ଦର କମିବା ପ୍ରଶ୍ନ ଉଠୁନାହିଁ ବୋଲି ବ୍ୟବସାୟୀ ମହଲରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଅକ୍ଟୋବର ପ୍ରଥମ ସପ୍ତାହରେ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଛୁଇଁଥିଲା। କିନ୍ତୁ ଦ୍ବିତୀୟ ଓ ତୃତୀୟ ସପ୍ତାହ ବେଳକୁ ପାଇକାରୀ ଦର କିଲୋ ପିଛା ୩୦ରୁ ୩୫ଟଙ୍କାକୁ ଆସିବାରୁ ଖୁଚୁରା ଦର ୪୦ ଟଙ୍କା ମଧ୍ୟରେ ସୀମିତ ଥିଲା।