ସଂସଦର ସ୍ୱତନ୍ତ୍ର ଅଧିବେଶନର ଆଜି ୪ର୍ଥ ଦିନ : ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍

80

କନକ ବ୍ୟୁରୋ : ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆସନ୍ତାକାଲି ଶେଷ ଦିବସ ଥିବାରୁ ଆଜି ପାରିତ କରିବାକୁ ପ୍ରୟାସ କରିବେ ସରକାର । ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଲୋକସଭାରେ ପାରିତ ହୋଇଛି ଏହି ମହିଳା ସଂରକ୍ଷଣ ବିଲ୍ । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ବିଲ୍କୁ ନେଇ ୮ ଘଣ୍ଟାର ବିତର୍କ ପରେ ଭୋଟ୍ ଗ୍ରହଣ ହୋଇଥିଲା ।

ବିଲକୁ ବିପୁଳ ସମର୍ଥନ ମିଳିଥିଲା ଏବଂ ଏହା ସପକ୍ଷରେ ୪୫୪ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା । ଏଆଇଏମଆଇଏମର ୨ ସାଂସଦ ଅସଦ୍ଉଦ୍ଦିନ ଅୱେସି ଓ ଇମତିୟାଜ ଜଲିଲ୍ ବିଲକୁ ବିରୋଧ କରି ଭୋଟ୍ ଦେଇଥିଲେ । ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲକୁ ଅନୁମୋଦନ କରିଥିବା ବେଳେ ମଙ୍ଗଳବାର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲକୁ ଲୋକସଭାରେ ଆଗତ କରିଥିଲେ । ଏହି ବିଲ୍ର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ସେପ୍ଟେମ୍ବର ୧୯ ଭାରତର ସଂସଦୀୟ ଇତିହାସରେ ଏକ ‘ଐତିହାସିକ ଦିବସ’ ।

ଏହି ବିଲକୁ ଗୃହୀତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦଳର ସମର୍ଥନ ଲୋଡ଼ିଛନ୍ତି । ଲୋକସଭାରେ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ କୌଣସି ବୈଷୟିକ ବ୍ୟବସ୍ଥା ବାହାନାରେ ବିଲକୁ ଅଟକି ରହିବାକୁ ଦିଆଯିବ ନାହିଁ । ବିଭିନ୍ନ ପ୍ରତିବନ୍ଧକ ପାଇଁ ୨୭ ବର୍ଷ ହେବ ଲଟକି ରହିଥିଲା ଏହି ବିଲ୍ । ଦେବଗୌଡ଼ାଙ୍କ ଠାରୁ ଆରମ୍ଭ କରି ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ଚାରିଥର ଏହି ବିଲ୍ ଆଣିବାକୁ ଚେଷ୍ଟା କରାଯାଇଥିଲା । ଏହା ହେଉଛି ୫ମ ପ୍ରୟାସ । ଏଥର ସଂସଦରେ ଶାସକ ଦଳର ସାଂସଦଙ୍କ ସଂଖ୍ୟା ଅଧିକ ରହିଥିବାରୁ ବିଲକୁ ପାରିତ କରିବାକୁ ଅଣ୍ଟା ଭିଡିଛନ୍ତି ମୋଦୀ ସରକାର ।