ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଅଭିନବ ପ୍ରତିବାଦ । ଧାରଣା ପରେ ବି କେହି ନଶୁଣିବାରୁ ମାଟିରେ ଲୋଟି କଲେ ପ୍ରତିବାଦ ।

80

କନକ ବ୍ୟୁରୋ: ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ହେଲେ ମହିଳା । ତଥାପି ତାଙ୍କ ସହ ହୋଇଥିବା ଅନ୍ୟାୟର ବିଚାର ହେଲାନାହିଁ । ଅବିବାହିତ ଅନାଥ ଆଦିବାସୀ ମହିଳାଙ୍କ କଥା କେହି ଶୁଣିଲେ ନାହିଁ । ତେଣୁ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ମହିଳା ଆଜି ଅଭିନବ ଉପାୟରେ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲୋଟିପଡଛନ୍ତି ମହିଳାଜଣକ ।

ତେବେ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ନିଆରା ଢଙ୍ଗରେ ଦାବି ଜଣାଇଥିବା ମହିଳା ଜଣଙ୍କ ହେଉଛନ୍ତି ସଦର ବ୍ଲକ ମଝାପଡାର ପିରୋ କିଶାନ । ଚାକିରି ଫେରାଇ ଦେବାକୁ ଦାବି କରି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ବାଟ ଅଟକାଇଲେ ଏହି ଆଦିବାସୀ ମହିଳା । ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ଫର୍ଦ୍ଦଫର୍ଦ୍ଦ ଅଭିଯୋଗ ପତ୍ର ଲେଖି ନିରାଶ ହେଲା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଧାରଣ ଉପରେ କାହାରି ନଜର ପଡିଲା ନାହିଁ, ତେଣୁ ଜିଲ୍ଲାପାଳଙ୍କ ଆଗରେ ତଳେ ଶୋଇ ପଡିଲେ ମହିଳା । ଜିଲ୍ଲାପାଳ ମହିଳାଙ୍କୁ ଉଠାଇ ତାଙ୍କ ଅଭିଯୋଗ ଦାବିପତ୍ର ରଖିଛନ୍ତି ।

ପିରୋ କିଶାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ୧୦ ବର୍ଷ କାଳ ବିନା ପାରିଶ୍ରମିକରେ ମଝାପଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଅନ ଭାବରେ କାମ କରୁଥିଲେ । ସେତେବେଳେ ତାଙ୍କୁ ଭରସା ଦିଆଯାଇଥିଲା ବିଦ୍ୟାଳୟ ବ୍ଲକଗ୍ରାଣ୍ଡ ପାଇଲେ ତାଙ୍କୁ ନିଯୁକ୍ତି ମିଳିବ । ହେଲେ ବିଦ୍ୟାଳୟ ଯେତେବେଳେ ବ୍ଲକଗ୍ରାଣ୍ଡ ପାଇଲା ସେତେବେଳେ ପିରୋଙ୍କ ସ୍ଥାନରେ ଆଉ ଜଣଙ୍କୁ ନିଯୁକ୍ତି ମିଳିଛି । ଅଭିଯୋଗ ଅନୁସାରେ ଚାକିରି ସ୍ଥାୟୀ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ପିରୋ ଲାଞ୍ଚ ଦେଇନପାରିବାରୁ ତାଙ୍କ ଚାକିରି ଛଡେଇ ନିଆଯାଇଛି ।