କନକ ବ୍ୟୁରୋ: ସମସ୍ତେ ଜାଣିଛନ୍ତି ମହିଳାଙ୍କର ସୁନା ପ୍ରତି ସ୍ୱତନ୍ତ୍ର ଆଗ୍ରହ ରହିଥାଏ । ସୁନା ଗହଣା ପିନ୍ଧିବା ସହ କିଣିବାକୁ ମହିଳାମାନେ ପସନ୍ଦ କରିଥାନ୍ତି । କିନ୍ତୁ ସମୟ ବଦଳିବା ସହ ମହିଳାଙ୍କ ପସନ୍ଦ ବି ବଦଳୁଛି । ଆଜିକାଲିର ମହିଳାମାନେ ସୁନା ଅପେକ୍ଷା ଜମି ଓ ଘର କିଣିବାକୁ ଅଧିକ ପସନ୍ଦ କରୁଥିବା ଜଣାପଡିଛି । ଆନାରକ୍ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମନାକୁ ଆସିଛି ।
- ଜମି ଓ ଘର କିଣିବାକୁ ବଢ଼ୁଛି ମହିଳାଙ୍କ ଆଗ୍ରହ
- ୬୫% ମହିଳାଙ୍କ ପସନ୍ଦ ରିଅଲ ଇଷ୍ଟେଟ୍ ନିବେଶ
ସୁନା କିଣିବାକୁ ମହିଳାମାନେ ପସନ୍ଦ କରିଥାନ୍ତି । ଅର୍ଥାତ ଅଧିକ ଟଙ୍କା ସୁନା କିଣାରେ ନିବେଶ କରିଥାନ୍ତି । କିନ୍ତୁ ଧିରେ ଧିରେ ମହିଳାଙ୍କ ଏହି ରୁଚି ବଦଳିବାରେ ଲାଗିଛି । ମହିଳାମାନେ ଏବେ ସୁନା ବଦଳରେ ଜମି କିଣିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି । ଆନାରକ୍ ନାମକ ସଂସ୍ଥାର ସର୍ବେକ୍ଷଣ ରିପୋର୍ଟରୁ ଜଣାପଡିଛି, ରିଅଲ ଇଷ୍ଟେଟରେ ନିବେଶ କରିବାକୁ ମହିଳାମାନେ ସବୁଠୁ ଅଧିକ ପସନ୍ଦ କରୁଛନ୍ତି । ଏହାପରେ ଷ୍ଟକ ବଜାର, ସୁନା ଓ ଫିକ୍ସଡ ଡିପୋଜଟ କରୁଛନ୍ତି ।
ମହିଳାଙ୍କ ପସନ୍ଦ ରିଅଲ ଇଷ୍ଟେଟ ନିବେଶ
- ୬୫% ମହିଳା ରିଅଲ ଇଷ୍ଟେଟରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି
- ୨୦% ମହିଳା ଷ୍ଟକ ବଜାରରେ ନିବେଶ କରୁଛନ୍ତି
- ୮% ମହିଳା ସୁନାରେ ନିବେଶ କରୁଛନ୍ତି
- ୭% ମହିଳା ଫିକ୍ସଡ ଡିପୋଜିଟ କରିବାକୁ ପ୍ରାଥମିକତା ଦିଅନ୍ତି
ଆନାରକ୍ ସଂସ୍ଥାର ରିପୋର୍ଟରେ ସତ୍ୟତା ରହିଥିବା କହିଛନ୍ତି ରିଅଲ ଇଷ୍ଟେଟ୍ ବ୍ୟବସାୟୀ । ମହିଳାମାନେ ସୁନା କିଣିବା ଅପେକ୍ଷା, ଘର କିମ୍ବା ଜମି କିଣିବାରେ ଅଧିକ ଇନଭେଷ୍ଟ କରିବାକୁ ପସନ୍ଦ କରୁଛନ୍ତି ବୋଲି କହିଛନ୍ତି ରିଅଲଇଷ୍ଟେଟ୍ ବ୍ୟବସାୟୀ । ମୋଟ ୫ ହଜାର ୫ଶହ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା, ଯେଉଁଥିରୁ ୫୦% ମହିଳା ଥିଲେ । ତେବେ ଜମି ଓ ଘର ମୂଲ୍ୟ ବଢ଼ୁଥିବାରୁ, ମହିଳାମାନେ ରିଅଲ ଇଷ୍ଟେଟରେ ଅଧିକ ନିବେଶ କରିବାକୁ ପସନ୍ଦ କରୁଥିବା କହିଛନ୍ତି ଅର୍ଥନୀତି ବିଶେଷଜ୍ଞ ।
ତେବେ ଦିନକୁ ଦିନ ଜମି ଓ ଘରର ମୂଲ୍ୟ ବୃଦ୍ଧି ପାଉଛି । ଭବିଷ୍ୟତରେ ଏହାର ମୂଲ୍ୟ ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ସୁନା ଓ ଫିକ୍ସସ ଡିପୋଜିଟ୍ ବଦଳରେ ରିଅଲ ଇଷ୍ଟେଟରେ ନିବେଶ କରିବା ପାଇଁ ସୁରକ୍ଷିତ ଭାବୁଛନ୍ତି ମହିଳା ।