ବିଶ୍ୱ ମହିଳା ଦିବସ ଅବସରରେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ୍ କୁ ମହିଳାଙ୍କ ଦାୟିତ୍ୱରେ ଦେବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ କଥା ଅନୁସାରେ ସେ ଆଜି ଟ୍ୱିଟର୍ ଆକାଉଣ୍ଟକୁ ପ୍ରେରଣାଦାୟୀ ମହିଳାମାନଙ୍କୁ ସମର୍ପିତ କରିଥିଲେ । ଏହି ମହିଳାମାନଙ୍କ ମଧ୍ୟରେ ମାଲବିକା ଅୟର୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର୍ ଆକାଉଣ୍ଟରୁ ଟ୍ୱିଟ୍ କରିଥିଲେ । ତେବେ ଆସନ୍ତୁ ଜାଣିବା କିଏ ଏହି ମହିଳା ମାଲବିକା ଅୟର୍ ଏବଂ କ’ଣ ରହିଛି ତାଙ୍କ ପ୍ରେରଣାଦାୟୀ କାହାଣୀ ।
Acceptance is the greatest reward we can give to ourselves. We can’t control our lives but we surely can control our attitude towards life. At the end of the day, it is how we survive our challenges that matters most.
Know more about me and my work- @MalvikaIyer #SheInspiresUs pic.twitter.com/T3RrBea7T9
— Narendra Modi (@narendramodi) March 8, 2020
ସବୁ ଅଙ୍ଗପ୍ରତ୍ୟଙ୍ଗ କାମ କରୁଥିଲେ ସୁଦ୍ଧା କିଛି ଲୋକ କାମ କରିବା ପାଇଁ ଆଦୌ ପସନ୍ଦ କରନ୍ତି ନାହିଁ । ଆଉ ଶରୀରରେ ଦୁର୍ବଳତା ଥିବା ସତ୍ତେ୍ୱ କିଛି ଲୋକ କର୍ମକୁ ଭଗବାନ ଭାବି ଆଗକୁ ବଢିଥାନ୍ତି । ଏଭଳି ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ହେଉଛନ୍ତି ମାଲବିକା ଅୟର୍ । ୧୩ ବର୍ଷ ବୟସରେ ଏକ ଗ୍ରେନେଡ ବିସ୍ଫୋରଣରେ ସେ ତାଙ୍କର ଦୁଇ ହାତ ହରାଇ ବସିଥିଲେ । ବର୍ତ୍ତମାନ ତାଙ୍କୁ ୩୦ ବର୍ଷ ବୟସ। ସାହସ ଓ ଧୈର୍ଯ୍ୟ ବଳରେ ନିଜ ଭାଗ୍ୟକୁ ନିଜ ହାତରେ ଲେଖି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ମାଲବିକା । ନିକଟରେ ତାଙ୍କର ଏକ ଟ୍ୱିଟ୍ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ପୋଷ୍ଟରେ ମାଲବିକା ନିଜ ଜନ୍ମଦିନର ପୋଷ୍ଟ କରିଥିଲେ । ମାଲବିକା ଏହି ପୋଷ୍ଟରେ ଲେଖିଥିଲେ, “ହାପିବାର୍ଥ ଡେ ଟୁ ମି” । ଯେତେବେଳେ ବୋମା ବିସ୍ଫୋରଣରେ ମୁଁ ମୋ ହାତକୁ ହରାଇଥିଲି , ସେତେବେଳେ ଡାକ୍ତର ମୋ ଜୀବନ ବଞ୍ଚାଇବା ପାଇଁ ଖୁବ୍ ଚେଷ୍ଟା କରିଥିଲେ । ଅପରେସନ ସମୟରେ ଡାକ୍ତରଙ୍କ ଏକ ଭୁଲ ଆଜି ମୋ ପାଇଁ ଆଶୀର୍ବାଦ ସଦୃଶ । ମୁଁ ଏବେ ସେହି ହାତରେ ଟାଇପ କରିପାରୁଛି ।
ମାଲବିକା ୧୩ ବର୍ଷର ହୋଇଥିବା ବେଳେ , ଏକ ବୋମା ବିସ୍ଫୋରଣରେ ଦୁଇ ହାତ ହରାଇ ବସିଥିଲେ । ଏହି ଘଟଣାରେ ତାଙ୍କ ଜୀବନ ମଧ୍ୟ ଚାଲିଯିବାର ସମ୍ଭାବନା ଥିଲା । ସ୍ଥିତି ବହୁତ ଗମ୍ଭୀର ହୋଇପଡିଥିଲା । ନୂତନ ଜୀବନ ପାଇବା ପରେ ମାଲବିକା ଜୀବନକୁ ନୂଆ କରି ବଞ୍ଚିବା ଶିଖିଲେ । ଏହି ଦୁର୍ଘଟଣା ପରେ ମାଲବିକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ । ନିଜ ଇଚ୍ଛାଶକ୍ତି ବଳରେ ମାଲବିକା ଅସହାୟ ଓ ଦିବ୍ୟାଙ୍ଗଙ୍କୁ ସହାୟତାର ହାତ ବଢାଇଛନ୍ତି । ଏପରିକି ସେ ଅନ୍ତରାଷ୍ଟ୍ରିୟ ମୋଟିଭେଶନଲ ସ୍ପିକର ଓ ଡିସଆବିଲିଟି ଆକ୍ଟିବିସ୍ଟ ମଧ୍ୟ ଅଟନ୍ତି । ମାଲବିକା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ନାରୀ ଶକ୍ତି ପୁରସ୍କାର-୨୦୧୭ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ସେ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି । ଦିଲ୍ଲୀରେ ସାମାଜିକ କାର୍ଯ୍ୟରେ ମାଷ୍ଟର ମଧ୍ୟ କରିଛନ୍ତି । ମାଲବିକାଙ୍କୁ ଶହେ ସଲାମ, ଯିଏ କେବେ ତାଙ୍କ ହାତକୁ ନେଇ ଭାଙ୍ଗି ପଡିନାହାନ୍ତି, ବରଂ ସମାଜକୁ ଅସମ୍ପୁର୍ଣ୍ଣ ହାତରେ ସାହାଯ୍ୟ , ସହାନୁଭୂତି, ପ୍ରେରଣା ଯୋଗାଇଛନ୍ତି ।