ମାଆ ଲୋ ତୁ ଥିଲୁ ବୋଲି… ଚିରା ପଣତକାନିରେ ଝାଳ ପୋଛି, ୬୫ ଟଙ୍କାରେ ପେଟ ପୂରାଇ ପୁଅଝିଅଙ୍କୁ ବୈଜ୍ଞାନିକ କରିଦେଲା ବଲାଙ୍ଗୀରର ମାଆ… ମହିଳା ଦିବସରେ ମହାନ କାହାଣୀ…

ମାଆ ଆଗରେ ସବୁ କିଛି ସମ୍ଭବ । ଦୁନିଆର ସବୁ ଶକ୍ତି ମାଆର ମମତା ଆଗରେ ହାର ମାନିଯାଏ । ମାଆ ପିଲାଙ୍କୁ ଅଭାବରେ ରଖେନି, କୌଣସି ବିପଦ ଛୁଇଁବାକୁ ଦିଏନି । ନିଜେ ଉପାସ ରହିବ ବରଂ କିନ୍ତୁ ପିଲାଙ୍କୁ ଭୋକିଲା ରଖିବନି

1,235

କନକ ବ୍ୟୁରୋ: କୁହାଯାଏ ମାଆ ଆଗରେ ସବୁ କିଛି ସମ୍ଭବ । ଦୁନିଆର ସବୁ ଶକ୍ତି ମାଆର ମମତା ଆଗରେ ହାର ମାନିଯାଏ । ମାଆ ପିଲାଙ୍କୁ ଅଭାବରେ ରଖେନି, କୌଣସି ବିପଦ ଛୁଇଁବାକୁ ଦିଏନି । ନିଜେ ଉପାସ ରହିବ ବରଂ କିନ୍ତୁ ପିଲାଙ୍କୁ ଭୋକିଲା ରଖିବନି । ମହିଳା ଦିବସରେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମାଆର କାହାଣୀ କହିବୁ ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ମାତ୍ର ୬୫ ଟଙ୍କାରେ ଜୀବନ ଆରମ୍ଭ କରିଥିବା ଏହି ମହିୟସୀ ମାଆ ଜଣଙ୍କ ଦୁଃଖ ଭିତରେ ନିଜ ଦୁଇ ପିଲାଙ୍କୁ ବୈଜ୍ଞାନିକ କରିପାରିଛନ୍ତି ।

ବଲାଙ୍ଗିର ଶାନ୍ତିପଡାର ଆଶାଲତା ସେଠୀ । ସାଧାରଣ ପରିବାରରେ ଜଣେ ଅସାଧାରଣ ମହିଳା । ଅଭାବ ଅନଟନ ଭିତରେ ନିଜ ସୁପ୍ତ ପ୍ରତିଭାକୁ ଆବିଷ୍କାର କରିଥିବା ଜଣେ ନଇଁ ନଥିବା ନାରୀ । ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ, ପରିବାର ଚଳାଇବାକୁ ଟଙ୍କା ନଥିବାରୁ ପିଲାଙ୍କୁ ଟ୍ୟୁସନ ଦେଇ ପାରିନଥିଲେ ଆଶାଲତା । ତେଣୁ ପିଲା ବେଳୁ ବଡ ହେବା ଯାଏଁ ନିଜେ ନିଜ ପିଲାଙ୍କୁ ପାଠ ପଢାଇ ଆଜି ସେମାନଙ୍କୁ ବଡ ମଣିଷ କରିଛନ୍ତି । ନିଜର ସୁପ୍ତ ଜ୍ଞାନକୁ ପୁଅଝିଅଙ୍କୁ ବାଣ୍ଟି ବୈଜ୍ଞାନିକ ସଜାଇଛନ୍ତି ।

୨୭ ବରଷ ତଳେ ବିଚିତ୍ର ସେଠୀଙ୍କୁ ପ୍ରେମ ବିବାହ କରିଥିଲେ ଆଶା । ଭିନ୍ନ ଜାତିରେ ବିବାହ କରିଥିବାରୁ ବିଚିତ୍ର ଓ ଆଶାଲତା ଘର ଠାରୁ ଦୂରେଇ ଆସିଥିଲେ । ହାତରେ ମାତ୍ର ୬୫ ଟଙ୍କା ଧରି ଘରୁ ଚାଲିଆସିଥିବା ଦୁଇ ପ୍ରେମୀଯୁଗଳ ଏଇ ସ୍ୱଳ୍ପ ସମ୍ବଳରେ ହିଁ ନିଜ ଜୀବନ ଆରମ୍ଭ କରିଥିଲେ । ଦୁଃଖ କଷ୍ଟରେ ଦିନ କାଟୁଥିବା ନବ ଦମ୍ପତ୍ତି ଅନେକ ଥର ଚୂଡା ଚିନି ଖାଇ ରହୁଥିଲେ ତ କେବେ କେବେ ଉପାସ ରହିଯାଉଥିଲେ । ହେଲେ ଏହି ଅଭାବ ହିଁ ସେମାନଙ୍କୁ ଆଗକୁ ଯିବାକୁ ପ୍ରେରଣା ଯୋଗାଉଥିଲା ।

ବିଚିତ୍ରଙ୍କ ହାତ ଧରି ଆସିବା ଦିନରୁ ହିଁ ତାଙ୍କ ପ୍ରତି ଆଉ ତାଙ୍କ ପିଲାଙ୍କ ପ୍ରତି ନିଜକୁ ସମର୍ପି ଦେଇଛନ୍ତି ଆଶାଲତା । ଦୁଃଖ ଭିତରେ କେମିତି ନିଜ ପିଲାଙ୍କୁ ଦୁନିଆ ଦେଖାଇବେ, ଦୁନିଆ ଆଖିରେ ଶ୍ରେଷ୍ଠ କରିବେ ସେନେଇ ଅହରହ ସଙ୍ଘର୍ଷ କରିଛନ୍ତି ଆଶାଲତା । ଆଉ ସ୍ତ୍ରୀଙ୍କ ଏହି ତ୍ୟାଗକୁ ସବୁଦିନ ସଲାମ କରନ୍ତି ତାଙ୍କ ସ୍ୱାମୀ ବିଚିତ୍ର । ନାରୀ ହିଁ ସବୁ ଅସମ୍ଭବକୁ ସମ୍ଭବ କରିପାରେ ବୋଲି ଆଶାଲତା କହିଛନ୍ତି

ନାରୀଟିଏ ନିଜ ଭିତରେ ନିଜେ ଜଳିଲେ ହିଁ ଅନ୍ୟମାନେ ଆଲୋକ ପାଆନ୍ତି । ଜାହାର ବଡ ଉଦାହରଣ ହେଉଛନ୍ତି ଆଶାଲତା ସେଠୀ । ମହାଦେବଙ୍କ ପରି ସବୁ କଷ୍ଟ, ସବୁ ଦୁଃଖକୁ ପିଇ ନିଜ ପିଲାଙ୍କୁ ଆଜି ସେ ଯେଉଁ ଜାଗାରେ ପହଞ୍ଚାଇଛନ୍ତି ସେଥିପାଇଁ ବେଶ ଖୁସି ଅଛନ୍ତି ବାପାମାଆ । ଝିଅ ଜର୍ମାନରେ ଗବେଷଣା କରୁଥିବା ବେଳେ ପୁଅ ବି ବୈଜ୍ଞାନିକ ବନିଛନ୍ତି । ତେଣୁ ନିଜ ପିଲାଙ୍କ ସଫଳତାର ସନ୍ତକ ଧରି ବେଶ ଖୁସି ଆଶା ଓ ବିଚିତ୍ର । ତେବେ ବିଶ୍ୱ ମହିଳା ଦିବସରେ ବଲାଙ୍ଗୀରର ଆଶାଦେବୀଙ୍କ ଏ ଅକୁହା କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ପାଲଟିବ ।