ଓସାକ୍ସରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ । ଏଚଆଇଭି ଓ ସିଫିଲିସ କମ୍ବୋ କିଟର ବାର୍ତ୍ତା ସମ୍ବଳିତ ବସ ଟିକେଟ୍ ହେଲା ଉନ୍ମୋଚିତ ।

89

କନକ ବ୍ୟୁରୋ: ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀମାନଙ୍କ ଭିତରେ ଥିବା ସୁପ୍ତ ଶକ୍ତିକୁ ଜାଗ୍ରତ କରି ଏକ ଶକ୍ତିଶାଳୀ ଓ ବଳିଷ୍ଠ ସମାଜ ଗଠନ କରିବା ପାଇଁ ଆହୁରି ଅଧିକ ପ୍ରୟାସର ଆବଶ୍ୟକତା ରହିଛି । ସୋମବାର ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ ମହାନ୍ତି ଏପରି କହିଛନ୍ତି ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାଂପ୍ରତିକ ପରିସ୍ଥିତିରେ ମହିଳାମାନେ ପ୍ରତିଦିନ ନିଜ କାର୍ଯ୍ୟରେ ତାଙ୍କ ସାମର୍ଥ୍ୟକୁ ପ୍ରଦର୍ଶିକ କରି ପାରିଛନ୍ତି । ନିଜର ଦୃଢ ପ୍ରତିବଦ୍ଧତା ଏବଂ ଅସାଧାରଣ ସାହସ ଯୋଗୁଁ କୋଭିଡ ମହାମାରୀର ମୁକାବିଲା କ୍ଷେତ୍ରରେ କଠିନ ପରିଶ୍ରମ କରିଥିବା ସମସ୍ତ ମହିଳା କର୍ମୀମାନେ ସର୍ବଦା ଅନୁକରଣୀୟ । ଏଥିସହ ସମାଜରେ ଯେଉଁ ପରିବର୍ତନ ଆମେ ଦେଖିବାକୁ ଚାହୁଁ ତାହା ପ୍ରଥମେ ନିଜ ଘରୁ ବା ନିଜ ପାଖରୁ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ରକ୍ତ ସଂଚାରଣ ପରିଷଦର ନିର୍ଦ୍ଦେଶିକା ଡା. ଉର୍ମିଳା ମିଶ୍ର କହିଥିଲେ ଯେ, କେବଳ ମହିଳା ଦିବସକୁ ଗୋଟିଏ ଦିନ ମଧ୍ୟରେ ସୀମିତ ନରଖି ପ୍ରତ୍ୟେକ ଦିନକୁ ନାରୀ ସମ୍ମାନର ଦିନ କରିବାକୁ ଆହ୍ୱାନ ଦେଇଥିଲେ । ନିଜର ଅନୁଭୂତି ବାଂଟିବା ସହ ସେ କହିଥିଲେ ଯେ ସଂପ୍ରତି ମହିଳା ଆତ୍ମନିର୍ଭରଶୀଳ, ପ୍ରଗତିକାମୀ, ଉଦ୍ୟମୀ ଓ ସଶକ୍ତ । ମହିଳାମାନେ ହେଉଛନ୍ତି ବହୁମୁଖୀ କାର୍ଯ୍ୟଦକ୍ଷ ଓ ପରିବର୍ତନର ବାହକ । ମହିଳାମାନଙ୍କୁ ଘରେ, ବାହାରେ ଏକ ସୁରକ୍ଷିତ ପରିବେଶ ପ୍ରଦାନରେ ସମସ୍ତଙ୍କ ସହଯେ୍ଧଜ୍ଞ ସେ କାମନା କରିଥିଲେ ।

ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଯେ, କୋଭିଡ ମହାମାରୀ ସମୟରେ ମହିଳାମାନଙ୍କ ତ୍ୟାଗ ଓ ନିଷ୍ଠାପରତା ହିଁ ‘choose to challenge’ ବିଷୟବସ୍ତୁକୁ ପ୍ରତିପାଦିତ କରିଛି । ମା’ ଓ ନବଜାତ ଶିଶୁକୁ ଏଚ.ଆଇ.ଭି. ଓ ସିଫିଲିସ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ କମ୍ବୋ କିଟ୍ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ପ୍ରଚଳିତ କରାଯାଇଛି । ଏହି ପରୀକ୍ଷା ସମସ୍ତ ଗ୍ରାମୀଣ ଓ ସହରାଂଚଳ ପୁଷ୍ଟିକରଣ ଦିବସରେ ଗର୍ଭବତୀ ମା’ ମାନଙ୍କ ପାଇଁ ବିନା ମୂଲ୍ୟରେ ଉପଲବ୍ଧ । ସେ କହିଥିଲେ ଯେ ଏହି କମ୍ବୋ କିଟ ପ୍ରଚଳିତ କରିବା କ୍ଷେତ୍ରରେ ଓଡ଼ିଶା ହେଉଛି ଭାରତର ପ୍ରଥମ ରାଜ୍ୟ । ଏହାସହ ମା’ଠାରୁ ଗର୍ଭସ୍ଥ ଶିଶୁକୁ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ପ୍ରଥମ ତ୍ରୈମାସିକ ପରୀକ୍ଷା ଓ ସମସ୍ତ ଚିହ୍ନିତ ସଂକ୍ରମିତଙ୍କୁ ପ୍ରାଥମିକତା ଭିତିରେ ଏ.ଆର.ଟି. ଚିକିତ୍ସାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ ।

ଏହି ଅବସରରେ ଓସାକ୍ସର ବିତ ପରାମର୍ଶଦାତ୍ରୀ ତଥା ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ରଂଜିତା ବେହେରା ଧନ୍ୟବାଦ ଅର୍ପଣ କରିବା ସହ ମହିଳାମାନଙ୍କ ସାମାଜିକ ମହତ୍ୱ ଏବଂ ସମାଜ ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିବାର ମାନସିକତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଓସାକ୍ସର ପ୍ରତିଷ୍ଠାନ ଅଧିକାରୀ ତଥା ବରିଷ୍ଠ ପ୍ରଶାସକ ଶୁଭେନ୍ଦୁ ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟମାନେ ଆଲୋଚନାରେ ଭାଗ ନେଇ ମହିଳା ଦିବସର ପ୍ରାସଂଗିକତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲେଜରେ ଥିବା ରେଡ ରିବନ କ୍ଲବର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏଚ.ଆଇ.ଭି/ ଏଡସ୍ ସଂପର୍କୀତ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗୀତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଲୋକମାନଙ୍କ ମଧ୍ୟରେ ଅଧିକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏଚ.ଆଇ.ଭି. ଓ ସିଫିଲିସ କମ୍ବୋ କିଟର ବାର୍ତା ସମ୍ବଳିତ ଏକ ବସ ଟିକଟ ଉନ୍ମୋଚିତ ହୋଇଥିଲା । ଏହାବ୍ୟତୀତ ଓସାକ୍ସର ନ୍ୟୁଜ୍ ଲେଟର ମଧ୍ୟ ଉନ୍ମୋଚିତ ହୋଇଥିଲା ।